ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର।
ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ; ”ଦର୍ଦୁର ଡାକ ଶୁଣି ନୀରବ ପିକ,ମୂଢ଼ ସଭାରେ ଯେହ୍ନେ ମୂକ ଧାର୍ମିକ“ ଏବେ ଶତ ପ୍ରତିଶତ ସତ ହେଉଛି ! ଯେଣୁ ଜଣେ କବି କି ଲେଖକ ହେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଯୋଗ୍ୟତାଭିତ୍ତିକ ମାପକାଠି ନାହିଁ, ତେଣୁ ମଉକା ଉଣ୍ଡି, କବି ଓ ଲେଖକ ହେବାର ଝୁଙ୍କ ଓ ସଉକରେ ଦର୍ଦୁର ପରାୟ ଅକବି ଓ ଅଲେଖକ ଅର୍ଥାତ୍‌ ଡମ୍ଫା, ଟାଉଟରମାନେ ଏବେ ସାହିତ୍ୟକ୍ଷେତ୍ରକୁ ଧସେଇ ପଶୁଛନ୍ତି। ଫଳରେ ଅସଲ ସ୍ରଷ୍ଟା ଓ ସାଧକମାନେ କ୍ରମଶଃ ଦୁର୍ବଳ ହେଉଛନ୍ତି ଏବଂ ଲେଖକକୁଳ ଏନେଇ ଶଙ୍କାକୂଳ ଅବସ୍ଥାରେ ରହୁଛନ୍ତି!
ହଁ ଆଜ୍ଞା, ସତରେ ଏବେ ସମାଜରେ ଅକବି ଓ ଅଲେଖକଙ୍କ ସଂଖ୍ୟା ବଢିଚାଲିଛି । ଭିଡ ବା ଗହଳି ଭିତରୁ କିଏ କବି, ଲେଖକ, କିଏ ଅକବି, ଅଲେଖକ ସହଜରେ ଜାଣି ହେଉନାହିଁ। ସାହିତ୍ୟ ଆଉ ସାଧନାର କ୍ଷେତ୍ର ହୋଇ ରହିନାହିଁ ଆଜ୍ଞା। ଅଣସାହିତ୍ୟିକଙ୍କ ଅନୁପ୍ରବେଶ ଯୋଗୁ ଏ କ୍ଷେତ୍ରରେ ବ୍ୟବସାୟ ବହୁତ ବଢ଼ିଗଲାଣି। ଦଲାଲ ଓ ଦୁର୍ନୀତିଗ୍ରସ୍ତମାନେ ଆସ୍ଥାନ ଜମେଇ ସାରିଲେଣି। ଅର୍ଥନୀତିର ‘ବ୍ୟାଡ଼ ମନି ଡ୍ରାଇଭ୍‌ସ ଆଉଟ ଗୁଡ ମନି’ଭଳି ଅବସ୍ଥା ଇଏ। ଠିକ ଯେମିତି ଷ୍ଟାର୍‌ ମେକର୍‌ମାନଙ୍କର ସଂଖ୍ୟା ପ୍ରବଳ ଯୋଗୁ ଅସଲ ଗାୟକ, କଣ୍ଠଶିଳ୍ପୀମାନେ ଅଖୋଜା, ଅଲୋଡ଼ା ହେଉଛନ୍ତି; ଠିକ ସେମିତି ଅକବି ଓ ଅଲେଖକଙ୍କ ସଂଖ୍ୟା ବୃଦ୍ଧି ହେତୁ ପ୍ରକୃତ କବି ଓ ଲେଖକମାନେ ଏବେ ନୀରବ, ନିଷ୍କ୍ରିୟ, ଦୁର୍ବଳ ହେବାକୁ ବାଧ୍ୟ ହେଉଛନ୍ତି!
ଏ ପ୍ରସଙ୍ଗରେ ଅବଶ୍ୟ ଅଧିକ ବାଟ ଯିବାର ନାହିଁ କି ଅଧିକ ତର୍ଜମା, ଆଲୋଚନା, ପର୍ଯ୍ୟାଲୋଚନା, ପରୀକ୍ଷଣ, ନିରୀକ୍ଷଣର ଆବଶ୍ୟକତା ନାହିଁ। କାରଣ ଅତି ପାଖରେ ପ୍ରତିମୁହୂର୍ତ୍ତରେ ସହଜରେ ଆମେ ପ୍ରତ୍ୟକ୍ଷ କରିପାରୁଛୁ ଯେ, ଅକବି, ଅଲେଖକ ଓ ଅଣସାହିତି୍ୟକମାନେ ଗୋଟିଏ ପରେ ଆଉ ଗୋଟିଏ ସାହିତ୍ୟାନୁଷ୍ଠାନ ଗଢି ସେସବୁର ସର୍ବେସର୍ବା ସାଜି ନିଜକୁ ଆତ୍ମଘୋଷିତ ବିଶିଷ୍ଟ ଓ ବରିଷ୍ଠ ସାହିତି୍ୟକ ବୋଲାଉଛନ୍ତି। ଅଯୋଗ୍ୟ, ଅଲେଖକ, ଅକବିଙ୍କୁ ସୁଲଭ ମୂଲ୍ୟରେ ମାନପତ୍ର, ଉତ୍ତରୀୟ,ଉପଢୌକନ ବିକ୍ରି କରି କେମିତି ଭେଳିକି, ଭାଣ୍ଡ ତାମସାର ମାହୋଲ ସୃଷ୍ଟି କରିଚାଲିଛନ୍ତି! ସାହିତ୍ୟ ଅମୃତ ସହ ହୀନ ରାଜନୀତିର ବିଷକୁ ମିଶ୍ରଣ କରି କେମିତି ନିଜନିଜର ସ୍ଥିତି, ପତିଆରାକୁ ସୁରକ୍ଷିତ ଓ ସୁଦୃଢ ରଖୁଛନ୍ତି! ଅସଲ ସାହିତି୍ୟକଙ୍କୁ କେମିତି ବାଟବଣା,ପ୍ରତ୍ୟାଖ୍ୟାନ କରୁଛନ୍ତି; ଇତ୍ୟାଦି ଇତ୍ୟାଦି ଖବର କାହାକୁ ଅଜଣା ନୁହେଁ। କହିଲେ କୁଳ କୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସିଯାଉଛି! ଆଜ୍ଞା, ନିତି ପ୍ରତିଦିନ ଏସବୁ ନକଲି ଥାଟଭାଟ, ବାଜେ ନାଟକ, ଭେଳିକି, ପ୍ରହସନକୁ ଆଉ ବରଦାସ୍ତ କରିହେଉନାହିଁ।
ଦୁର୍ଭାଗ୍ୟଜନକ ଓ ହାସ୍ୟାସ୍ପଦର ବିଷୟ ଯେ, କେହି କେହି ବରିଷ୍ଠ ସାହିତି୍ୟକ, କବି, ସଂଗଠକ, ସାଧକ, ଆଲୋଚକ ନିଜନିଜର ବୃତ୍ତିଗତ ଜୀବନରୁ ଅବସର ନେଇ ଅର୍ଥାତ୍‌ ଅବସରପ୍ରାପ୍ତ ହୋଇ ମଧ୍ୟ ଏଇ ଅକବି, ଅଲେଖକ, ଅଣସାହିତି୍ୟକଙ୍କର ଲୋଭ, ପ୍ରଲୋଭନ, ମାୟାରେ ପଡି, ପଦପଦବୀ, ପୁରସ୍କାର, ସମ୍ମାନ ପାଇବା ମୋହରେ ମୋହାନ୍ଧ ଓ ମତିଭ୍ରମ ହେଉଛନ୍ତି! ଅତଏବ ଆମ ସାହିତ୍ୟକ୍ଷେତ୍ର ଆଉ ସୁରକ୍ଷିତ ହେବ କେମିତି ନା ସାହିତ୍ୟର ସୁରକ୍ଷା,ସଂରକ୍ଷଣ ଓ ସମୃଦ୍ଧି ସମ୍ଭବ ହେବ କେମିତି?
ଏବେ ପ୍ରାୟ ସମାନ ଟ୍ରେଣ୍ଡ ଚାଲିଛି ସବୁଆଡ଼େ। ମୌଳିକ ଲେଖା, ନିଷ୍ଠାପର ସାଧନା କମ୍‌ ଅଥଚ ଧାରଉଧାର, ନକଲ, ଭେଜାଲ ଲେଖା ଏବଂ ଦେଖାଣିଆ ଧାଁଦୌଡ଼, ଶୋ’ବାଜି, ଡ୍ରାମାବାଜି ଅଧିକ। କଙ୍କଡାକୁ ଗୋଳି ପାଣି ସୁହେଇବା ପରି ଅକବି, ଅଲେଖକ, ଅଣସାହିତି୍ୟକଙ୍କୁ ଏବେ ସାମାଜିକ ଗଣମାଧ୍ୟମ ଭଲ ସୁହାଉଛି! ଆଜ୍ଞା, ଆପଣ ଜଣେ ସୁପରିଚିତ ସାହିତି୍ୟକ କି ସୁଲେଖକ କି ଲବ୍ଧପ୍ରତିଷ୍ଠ କବି ଭାବରେ ସମାଜରେ ଆପଣଙ୍କର ଖାତିର ଓ ସମ୍ମାନ ରହିଛି। ଆପଣ ଦୀର୍ଘ ବର୍ଷ ଧରି ନିଷ୍ଠାପର ଓ ନିରଳସ ସାହିତ୍ୟ ସାଧନା କରି ଏକ ନିର୍ଦ୍ଦିଷ୍ଟ ପାଠକଗୋଷ୍ଠୀ ସୃଷ୍ଟି କରିପାରିଛନ୍ତି! ହେଲେ ଏବେ ଏ ଯେଉଁ ଦଲାଲ, ପ୍ରତାରକ ସାହିତ୍ୟ କ୍ଷେତ୍ରରେ ନିର୍ଧୂମ ମାତିଲେଣି, ଯଦି ଆପଣ ସେମାନଙ୍କର ଅନୁଗତ, ବୋଲକରା କି ସମର୍ଥକ ହେବେ ନାହିଁ, ତେବେ ସେମାନେ ଆପଣଙ୍କୁ ଟାର୍ଗେଟ କରି କିଛିଦିନ ମଧ୍ୟରେ ‘ତିନି ତୁଣ୍ଡରେ ଛେଳି କୁକୁର’ ପରାୟେ ସାହିତ୍ୟ ଜଗତରେ ଅଖୋଜା, ଅଲୋଡ଼ା ଅଲବତ୍‌ କରିଦେବେ। ସେଇଠୁ ଆପଣ ଅସହାୟ,ନିରୁପାୟ ହୋଇ ହା’ ହତୋସ୍ମି, ହା’ହତୋସ୍ମି ହାଉଳି ଖାଉଥିବେ। ସମାଜରେ ଯେଉଁମାନେ ଲେଖକ କି ପାଠକ ନୁହନ୍ତି, ସାହିତ୍ୟାନୁରାଗୀ କି ସାହିତ୍ୟପ୍ରେମୀ ମଧ୍ୟ ନୁହନ୍ତି । ଏମାନେ ହେଲେ ଦେଖଣାହାରୀ । ସାହିତ୍ୟକ୍ଷେତ୍ରରେ ଏବେ ଯେଉଁ ହାରରେ ଗୋଷ୍ଠୀବିବାଦ ବଢ଼ିଚାଲିଛି, ଯେଉଁ ଗୋଷ୍ଠୀ ଏ ଦେଖଣାହାରୀଙ୍କୁ ପଟେଇ କି ମନେଇ ପାରୁଛନ୍ତି, ଏମାନେ ସେଇ ଗୋଷ୍ଠୀକୁ ସମର୍ଥନ ଦେଉଛନ୍ତି। ଏବେ ଆମ ସାହିତ୍ୟକ୍ଷେତ୍ରର ବାଦବିବାଦ, କନ୍ଦଳ, ତକରାଳ, ରାଜନୀତି କ୍ଷେତ୍ରର ସମାନ୍ତରାଳ ବା ତତୋଧିକ ମନେହେଉଛି।
ସାହିତ୍ୟକ୍ଷେତ୍ରରେ ଶସ୍ତା ରାଜନୀତି, ଦୁର୍ନୀତି, ଅନଧିକାର ଅନୁପ୍ରବେଶ ଆଦୌ ଶୁଭ ସୂଚନା ନୁହେଁ। ସମ୍ପର୍କ, ସଂପ୍ରୀତି,ସୃଜନଶୀଳତାର ବାର୍ତ୍ତା ବହନ କରେ ସାହିତ୍ୟ । ଯେଉଁ ସାହିତ୍ୟ ସମାଜର ଦର୍ପଣ ବୋଲି ସର୍ବଜନବିଦିତ, ସେଇ ସାହିତ୍ୟର ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବା ସାହିତି୍ୟକଙ୍କର କର୍ତ୍ତବ୍ୟ ହେବା ଉଚିତ। ଯେଉଁମାନେ ବୃଥାରେ ନିଜକୁ ବଡ଼ ସାହିତି୍ୟକ ବୋଲାଇ ସାହିତ୍ୟକୁ ବ୍ୟକ୍ତିଗତ ସମ୍ପତ୍ତି ଓ ଲାଭଜନକ ବ୍ୟବସାୟ କି ଜାଗିରିଦାରି ବୋଲି ଭାବୁଛନ୍ତି, ଅଚିରାତ୍‌ ସେମାନଙ୍କର ଅସଲ ମୁଖା ଖୋଲିଦେବା ଉଚିତ। ସେମାନଙ୍କ ଚକ୍ରାନ୍ତକୁ ଦୃଢ଼ହସ୍ତରେ ଦମନ କରାଯିବା ଉଚିତ। ସଚ୍ଚୋଟ ସାହିତି୍ୟକବନ୍ଧୁ କୌଣସି ପ୍ରକାରେ ଦଲାଲଙ୍କୁ ପ୍ରଶ୍ରୟ କିମ୍ବା ପ୍ରୋତ୍ସାହନ ନ ଦେଇ, ସାହିତ୍ୟର ସୁରକ୍ଷା, ସଂରକ୍ଷଣ ଓ ସମୃଦ୍ଧି ପାଇଁ ଐକ୍ୟବଦ୍ଧ ତଥା ସଂକଳ୍ପବଦ୍ଧ ହେବା ସର୍ବାଦୌ ଉଚିତ।

ରାଧାଶ୍ୟାମ ରାଉଳ
ବୀମାବିହାର, ମର୍କତନଗର, କଟକ
ମୋ : ୯୪୩୭୦୯୦୯୮୫

Dharitri – Odisha’s No.1 Odia Daily

Share