ଯେତେବେଳେ ଜଣେ ବ୍ୟକ୍ତି କିମ୍ବା ଗୋଷ୍ଠୀ ସାମାଜିକ ସ୍ତରରେ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ତାହା ଅହଂକାରରେ ପରିଣତ ହୁଏ। ଏହା କେବଳ ବ୍ୟକ୍ତିଗତ ସମ୍ପର୍କକୁ ନୁହେଁ ବରଂ ସମଗ୍ର ସମାଜକୁ ପ୍ରଭାବିତ କରିଥାଏ।
ହସ୍ପିଟାଲକୁ ଲୋକ ଯାଆନ୍ତି ରୋଗୀଙ୍କୁ ଦେଖିବାକୁ, ତାଙ୍କ ଅବସ୍ଥା ପଚାରିବାକୁ, ଦୁଇପଦ ସାନ୍ତ୍ୱନା ଦେବାକୁ କିମ୍ବା ଆବଶ୍ୟକ ପଡ଼ିଲେ ସହଯୋଗର ହାତ ବଢ଼ାଇବାକୁ। କିନ୍ତୁ ବେଳେବେଳେ ଏହି ମାନବିକ ଉଦ୍ଦେଶ୍ୟ ପଛରେ ଲୁଚି ରହିଥାଏ ଆତିଥ୍ୟର ଆଶା, ଅହଂକାରର ପ୍ରଦର୍ଶନ ଓ ନିଜର ଅର୍ଥବଳକୁ ଅନ୍ୟର ଅସହାୟତା ସାମ୍ନାରେ ପ୍ରତିଷ୍ଠା କରିବାର ଏକ ଅଦୃଶ୍ୟ ଆଗ୍ରହ।
ହସ୍ପିଟାଲର ପରିବେଶ ଏକ ଗେଷ୍ଟହାଉସର ପରିବେଶଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ଆନୁଷ୍ଠାନିକ ସ୍ବାଗତ, ଚା’ ଜଳଖିଆ କିମ୍ବା ଅତିଥି ସତ୍କାର ଅପେକ୍ଷା ରୋଗୀଙ୍କ ଚିକିତ୍ସା ଓ ଯତ୍ନ ଅଧିକ ଗୁରୁତ୍ୱପୂର୍ଣ୍ଣ। ରୋଗୀଙ୍କ ଆଟେଣ୍ଡାଣ୍ଟ କେତେବେଳେ ଡାକ୍ତରଙ୍କ ପାଖରେ, କେତେବେଳେ ଔଷଧ ଆଣିବାରେ, ଆଉ କେତେବେଳେ ରୋଗୀର ଅନ୍ୟ ଆବଶ୍ୟକତା ପୂରଣ କରିବାରେ ବ୍ୟସ୍ତ ଥାଆନ୍ତି। ଏହି ବ୍ୟସ୍ତତା ଅବହେଳା ନୁହେଁ; ଅନେକ ସମୟରେ ଏହା ଦାୟିତ୍ୱର ଅବିଚ୍ଛେଦ୍ୟ ଅଂଶ।
ତଥାପି କେତେଜଣ ଲୋକ ରୋଗୀଙ୍କୁ ଦେଖିବାକୁ ଆସି, ଆଟେଣ୍ଡାଣ୍ଟ ତାଙ୍କୁ ଠିକ୍ ଭାବେ ଗ୍ରହଣ କରିପାରିଲେ ନାହିଁ ବୋଲି ରୋଗୀଙ୍କୁ ନ ଦେଖି ଫେରିଯାଆନ୍ତି। ଫେରିବା ପରେ ଆରମ୍ଭ ହୁଏ ଅଭିଯୋଗ-ଆମକୁ କେହି ପଚାରିଲେ ନାହିଁ, ଆମେ ଯାଇଥିଲୁ, କିନ୍ତୁ ଆମକୁ ଗୁରୁତ୍ୱ ଦିଆଗଲା ନାହିଁ। ଏହି ଅଭିଯୋଗରେ ରୋଗୀର ଅବସ୍ଥା ଅପେକ୍ଷା ନିଜର ଅସମ୍ମାନବୋଧ ଅଧିକ ପ୍ରମୁଖ ହୋଇଉଠେ।
ପ୍ରଶ୍ନଟି ସରଳ-ଆପଣ ରୋଗୀଙ୍କୁ ଦେଖିବାକୁ ଯାଇଥିଲେ ନା ନିଜର ଆତିଥ୍ୟ ଗ୍ରହଣ କରାଇବାକୁ?
ଏହାଠାରୁ ଆହୁରି ଜଟିଳ ଏକ ମନୋଭାବ ହେଉଛି ସହାୟତାର ନଁାରେ ଅର୍ଥବଳର ପ୍ରଦର୍ଶନ। କିଛି ଲୋକ ଆସନ୍ତି ନିଜ ଧନର ପ୍ରଭୁତ୍ୱ ଦେଖାଇବାକୁ। ସହଯୋଗର ଆବଶ୍ୟକତାକୁ ନିଜର ଉପକାରିତା ପ୍ରମାଣ କରିବାର ସୁଯୋଗ ଭାବେ ଗ୍ରହଣ କରନ୍ତି। ସେମାନଙ୍କ ଆଚରଣରେ ସହାୟତାଠାରୁ ଉପକାରର ଗର୍ବ, ସମ୍ବେଦନଶୀଳତାଠାରୁ ଅହଂକାର ଏବଂ ମାନବିକତାଠାରୁ ଆତ୍ମପ୍ରଦର୍ଶନ ଅଧିକ ଦୃଶ୍ୟମାନ ହୁଏ।
କିନ୍ତୁ ଅସହାୟତାର ମୁହୂର୍ତ୍ତରେ ଥିବା ମଣିଷଟିକୁ ନିଜର ଅର୍ଥବଳର ସ୍ମରଣ କରାଇବା, ସାହାଯ୍ୟ ବଦଳରେ କୃତଜ୍ଞତାର ଅଦୃଶ୍ୟ ଋଣ ଲଦିଦେବା କିମ୍ବା ତା’ର ପରିସ୍ଥିତିକୁ ନେଇ ଅପରୋକ୍ଷ ଅପମାନ କରିବା-ଏସବୁ ସହାୟତାର ମୂଳ ଉଦ୍ଦେଶ୍ୟକୁ ହିଁ ପ୍ରଶ୍ନବିଦ୍ଧ କରେ।
ଅଭାବ ମଣିଷକୁ ଅସହାୟ କରିପାରେ; ତା’ର ଆତ୍ମସମ୍ମାନକୁ ଅସ୍ବୀକାର କରିବାର ଅଧିକାର କାହାକୁ ଦିଏନାହିଁ।
ସହାୟତାର ମୂଲ୍ୟ କେବଳ ଟଙ୍କାରେ ମପାଯାଏ ନାହିଁ। ତାହାର ମୂଲ୍ୟ ନିର୍ଣ୍ଣୟ ହୁଏ ସେହି ସହାୟତା ଗ୍ରହଣ କରୁଥିବା ମଣିଷ ମନରେ ଏହା କେତେ ସମ୍ମାନ, ସାନ୍ତ୍ୱନା ଓ ଆଶ୍ୱାସନ ସୃଷ୍ଟି କରିପାରିଲା। ଯେଉଁ ସହାୟତା ଜଣେ ମଣିଷର ଆତ୍ମସମ୍ମାନକୁ ଆଘାତ କରେ, ତାହା ଅର୍ଥରେ ଦାନ ହୋଇପାରେ; ମାନବିକତାରେ ନୁହେଁ।
ସଙ୍କଟ ସମୟରେ ସମ୍ପର୍କର ପ୍ରକୃତ ମୂଲ୍ୟ ମଧ୍ୟ ପ୍ରକାଶ ପାଏ। ରୋଗୀଙ୍କୁ ଦେଖିବାକୁ ଆସିଥିବା ଜଣେ ମଣିଷ ଦୁଇ ମିନିଟ୍ ତାଙ୍କ ପାଖରେ ବସି, ଆଶ୍ୱାସନାର ଦୁଇଟି କଥା କହି, ଆବଶ୍ୟକ ହେଲେ ଆଟେଣ୍ଡାଣ୍ଟଙ୍କୁ ଏକ ଛୋଟ ସହଯୋଗର ପ୍ରସ୍ତାବ ଦେଇ ଫେରିଯାଇପାରେ। ତାଙ୍କର ଉପସ୍ଥିତି ରୋଗୀ ପାଇଁ ସାନ୍ତ୍ୱନା ହୋଇପାରେ। ତାଙ୍କର ଅନୁପସ୍ଥିତି ମଧ୍ୟ କୌଣସି କ୍ଷତି ନୁହେଁ, ଯଦି ସେହି ଉପସ୍ଥିତିର ଉଦ୍ଦେଶ୍ୟ କେବଳ ଔପଚାରିକତା ଥିଲା।
ସମ୍ପର୍କର ମୂଲ୍ୟ ଚା’ ଜଳଖିଆରେ ନୁହେଁ, ସଙ୍କଟ ସମୟରେ ଆମେ କେତେ ସମ୍ବେଦନଶୀଳ ହୋଇପାରୁଛୁ, ସେଥିରେ ମପାଯାଏ। ଦାନର ମୂଲ୍ୟ ଟଙ୍କାରେ ନୁହେଁ, ଦାତାର ମନୋଭାବରେ ମପାଯାଏ। ଆଉ ମଣିଷର ମହତ୍ତ୍ୱ ତା’ର ଅର୍ଥବଳରେ ନୁହେଁ, ଅନ୍ୟ ଜଣେ ଅସହାୟ ମଣିଷର ଆତ୍ମସମ୍ମାନକୁ କେତେ ସୁରକ୍ଷିତ ରଖିପାରୁଛି, ସେଥିରେ ନିର୍ଣ୍ଣୟ ହୁଏ।
ରୋଗୀଙ୍କୁ ଦେଖିବାକୁ ଯାଆନ୍ତୁ, ଆତିଥ୍ୟ ଗ୍ରହଣ କରିବାକୁ ନୁହେଁ। ସହାୟତା କରିବାକୁ ଯାଆନ୍ତୁ, ନିଜ ପଇସାର ଗରମ ଦେଖାଇବାକୁ ନୁହେଁ। କାରଣ ଆତ୍ମସମ୍ମାନକୁ ଆଘାତ କଲାଭଳି ସହାୟତା କେବେ ବି ମାନବିକତାର ନିଦର୍ଶନ ନୁହେଁ। ମାନବିକତାର ପରିଚୟ ଦେବାକୁ ଅର୍ଥବଳ ଲୋଡ଼ା ନାହିଁ, କେବଳ ଆବଶ୍ୟକ ମଣିଷପଣିଆ।
ନିରୁପମା ମହାନ୍ତି