ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଚରଣ ସିଂ ମୀନା: ସାଇବର ଅପରାଧ ରୋକିବା ହେବ ପ୍ରାଥମିକତା

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଇପିଏସ ଚରଣ ସିଂ ମୀନା ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ଗୁରୁବାର ସକାଳେ ସର୍ବପ୍ରଥମେ ସେ ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇ ମଧ୍ୟାହ୍ନ ୧୨ଟାରେ ସେ ପୂର୍ବତନ ଆଇଜି ହିମାଂଶୁ କୁମାର ଲାଲଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବା ସହ ରାଜ୍ୟ ସରକାରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଆଇନ ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ରୋକିବା ଏବଂ ବେଆଇନ ମାଦକ ଦ୍ରବ୍ୟ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତାଙ୍କର ପ୍ରାଥମିକତା ହେବ। ଏତଦ ବ୍ୟତୀତ ବର୍ତ୍ତମାନର ସବୁଠାରୁ ବଡ଼ ଆହୱାନ ସାଜିଥିବା ସାଇବର ଅପରାଧକୁ ରୋକିବା ପାଇଁ ପୋଲିସ କର୍ମଚାରୀଙ୍କୁ ବୈଷୟିକ ଜ୍ଞାନକୌଶଳରେ ଦକ୍ଷ କରାଯିବ ଏବଂ ଲୋକଙ୍କୁ ସଚେତନ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୋଲିସ ସବୁବେଳେ ଜନସାଧାରଣଙ୍କ ପାଇଁ ସହଜଲଭ୍ୟ, ସମ୍ବେଦନଶୀଳ ଓ ଉତ୍ତରଦାୟୀ ହେବ। ସମ୍ବଲପୁର ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବା ସହ ଅପରାଧମୁକ୍ତ ସମାଜ ଗଠନ ପାଇଁ ସେ ଗଣମାଧ୍ୟମ ଓ ସମ୍ବଲପୁର ସାଧାରଣ ଜନତାଙ୍କ ସହଯୋଗ କାମନା କରିଛନ୍ତି।

Dharitri – Odisha’s No.1 Odia Daily

 

Share