୧୨ରେ ବଦଳି, ୧୮ରେ ବାତିଲ: କଳାହାଣ୍ଡି ଶିକ୍ଷା ବିଭାଗରେ ବଦଳି ନାଟକ

ଭବାନୀପାଟଣା,୨୦ା୬(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଶିକ୍ଷା ବିଭାଗରେ ସରକାରୀ ନିୟମ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠିକୁ ବେଖାତିର କରି ମନମୁଖୀ କାର୍ଯ୍ୟ ଚାଲିଥିବା ଭଳି ଘଟଣା ସାମ୍ନାକୁ ଆସିଛି। କିଛି ଦିନ ତଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗ ତତ୍ପରତା ଦେଖାଇ ଗତ ୧୨ତାରିଖରେ ୨୧ ଜଣ କର୍ମଚାରୀଙ୍କ ବଦଳି ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲା। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ଏହାର ମାତ୍ର ୬ ଦିନ ପରେ ଅର୍ଥାତ୍‌ ୧୮ ତାରିଖରେ ଜିଲା ଶିକ୍ଷାଅଧିକାରୀଙ୍କ ଅଫିସ ପତ୍ର ସଂଖ୍ୟା ୪୦୬୮ ଅନୁଯାୟୀ ଉକ୍ତ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇଛି। ଏହି ବାତିଲ କାହା ସ୍ବାର୍ଥରେ ବା ଚାପରେ କରାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରାଜ୍ୟ ସରକାରଙ୍କ ପ୍ରଶାସନିକ ନିୟମ ଅନୁସାରେ କୌଣସି ବି ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ବିଶେଷ କରି ସାଧାରଣ ପ୍ରଶାସନ ବିଭାଗର ଗାଇଡଲାଇନ ଅନୁସାରେ, ୩ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ଶିକ୍ଷା ବର୍ଷରେ ଥିବା ୫୦ ପ୍ରତିଶତ କର୍ମଚାରୀଙ୍କୁ ତୁରନ୍ତ ବଦଳି କରିବାକୁ ନିର୍ଦ୍ଦେଶ ରହିଛି। ମାତ୍ର କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟଗୁଡ଼ିକରେ କିଛି ନିର୍ଦ୍ଦିଷ୍ଟ କିରାଣି ଓ ପ୍ରଶାସନିକ କର୍ମଚାରୀ ଦୀର୍ଘ ବର୍ଷ ଧରି ଗୋଟିଏ ସ୍ଥାନରେ ରହିଥିବାରୁ ଏହା ବିରୋଧରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ହୋଇଥିଲା।
ଏହା ଆଧାରରେ ତା୨୦ା୮ା୨୦୨୫ରିଖରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ତୁରନ୍ତ ବଦଳି ପ୍ରକ୍ରିୟା ଶେଷ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ଚିଠି ପ୍ରକାଶ ପାଇବାର ଦୀର୍ଘମାସ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ସ୍ତରରେ ଡିଇଓମାନେ ଏହାକୁ କାର୍ଯ୍ୟକାରୀ ନ କରି ଫାଇଲ ତଳେ ଚାପି ରଖିଥିଲେ। ମାତ୍ର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବାଧ୍ୟ ହୋଇ ଗତ ଜୁନ ୧୨ରେ ୨୧ ଜଣଙ୍କର ବଦଳି ତାଲିକା ପ୍ରକାଶ ପାଇଥିଲା। ପ୍ରଥମେ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ବଦଳି ଚିଠି ବାହାର କରିବା ଏବଂ ପରେ କୌଣସି କାରଣ ନ ଥାଇ ମାତ୍ର ସପ୍ତାହକ ମଧ୍ୟରେ ତାହାକୁ ପୁଣି ବାତିଲ କରିବା ଜିଲା ଶିକ୍ଷା ବିଭାଗର ମନମୁଖୀ କାର୍ଯ୍ୟଶୈଳୀକୁ ପ୍ରମାଣିତ କରୁଛି। ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏହା ଉପରେ ତୁରନ୍ତ ଦୃଷ୍ଟି ଦେଇ ବଦଳି ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଜିଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରିଙ୍କ ମୋବାଇଲ ନଂ ୮୨୪୯୨୭୯୧୭୫ଙ୍କୁ ଯୋଗାଯୋଗ କରାଯିବାରୁ ଫୋନ ସୁଇଚ୍‌ ଅଫ ଦେଖାଇଥିଲା। ଅତିରିକ୍ତ ଜିଲା ଶିକ୍ଷାଅଧିକାରୀ ହେମ ସାଗର ମହାନନ୍ଦଙ୍କୁ ପଚାରିବାରୁ ଏହି ବଦଳିକୁ ନେଇ ବିଭିନ୍ନ ମହଲରୁ ଅଭିଯୋଗ ଆସିବା ପରେ ତାହାକୁ ବାତିଲ କରାଯାଇଛି। ଖୁବ୍‌ଶୀଘ୍ର ଜିଲାପାଳଙ୍କ ପରାମର୍ଶ କ୍ରମେ ପୁଣି ବଦଳି କରାଯିବ ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

 

Share