ସିଡିଏମ୍‌ଓଙ୍କ ବଦଳି

କେନ୍ଦୁଝର,୨୨ା୯(ସ୍ବ.ପ୍ର.): କେନ୍ଦୁଝର ସିଡିଏମ୍‌ଓ ଡାକ୍ତର ସୁଜାତା ରାଣୀ ମିଶ୍ରଙ୍କ ଗୁରୁବାର ବଦଳି ହୋଇଛି। ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କର ବଦଳି ହୋଇଛି। ବରିଷ୍ଠ ଶିଶୁ ବିଶେଷଙ୍କ ଡାକ୍ତର କିଶୋର ଚନ୍ଦ୍ର ତ୍ରିପାଠୀଙ୍କୁ କେନ୍ଦୁଝର ସିଡିଏମଓ ଭାବରେ ଅବସ୍ଥାପିତ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ଚିଠି ନମ୍ବର ୨୧୦୧୩/୨୨-୯-୨୨ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ବଦଳି ଆଦେଶ କରିଛନ୍ତି।  ଯେତେବେଳେ କେନ୍ଦୁଝର ଜିଲା ମୁଖ୍ୟାଳୟର ଶିଶୁଓ୍ବାର୍ଡରେ ୨୪ ଘଣ୍ଟାରେ ୪  ନବଜାତ ଶିଶୁଙ୍କ ମୃତ୍ୟୁ ନେଇ ବିବାଦ ଦେଖାଦେଇଛି ଏବଂ ଏହାକୁ ନେଇ ବିରୋଧୀ ଦଳ ପକ୍ଷରୁ ବିରୋଧ କରିବା ସହ ସଦର ବିଧାୟକ ମୋହନ ମାଝି ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି, ସେତେବେଳେ ଏଭଳି ହଠାତ୍‌ ବଦଳି ଆଦେଶ ସମସ୍ତଙ୍କୁ ଚକିତ କରିଛି। ତେବେ ସିଡିଏମ୍‌ଓଙ୍କ ବଦଳି କରିଦେଲେ ହେବ ନାହିଁ ଘଟଣାର ତଦନ୍ତ ହେବା ଜରୁରୀ। ତଦନ୍ତ କରି ଚିକିତ୍ସାରେ ଅବହେଳା କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଭାଜପା ପଞ୍ଚାୟତ ସମିତି ସଭ୍ୟ କିରଣବାଳା ନାୟକ ଦାବି କରିଛନ୍ତି।

ପ୍ରକାଶ ଯେ,୨୪ ଘଣ୍ଟାରେ ୪ଶିଶୁଙ୍କ ମୃତ୍ୟୁ ଘଟଣା ୧୮ ତାରିଖରେ ଜଣାପଡ଼ିବା ସମୟରେ ଚଳିତ ମାସ ଅର୍ଥାତ୍‌ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଫଳରେ ଏହାକୁ ନେଇ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଥିଲା।