ଚନ୍ଦଲି ଶକ୍ତିପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ

ଲେଫ୍ରିପଡ଼ା,୧୨।୮(ଡି.ଏନ୍‌.ଏ.):ସୁନ୍ଦରଗଡ଼ ଜିଲାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ରାଏ ପଞ୍ଚାୟତ ଅନ୍ତର୍ଗତ ଉଜ୍ୱଲପୁର ଠାରୁ ଦର୍ଲିପାଲି ପିଡ଼ବ୍ଲ୍ୟୁଡ଼ି ରାସ୍ତା କଡ଼ ଏନଟିପିସି ପ୍ରକଳ୍ପ ନିକଟରେ ରହିଛି ପ୍ରସିଦ୍ଧ ଚନ୍ଦଳି ଶକ୍ତିପୀଠ। କେଉଁ ଆବାହମାନ କାଳରୁ ଏଠାରେ ମା’ ଚନ୍ଦଳି ପାଟ ପୂଜା ପାଇ ଆସୁଛନ୍ତି । ମା’ଙ୍କ ପ୍ରତି ଅଞ୍ଚଳବାସୀଙ୍କ ଅଗାଢ ଆସ୍ଥା, ବିଶ୍ୱାସ ଓ ଭକ୍ତି ରହିଛି । ହଜାର ହଜାର ଲୋକଙ୍କ ବିଶ୍ୱାସର ପ୍ରତୀକ ଏହି ଲୋକଦେବୀ। ପୁଷ୍ପୁନି ଦିନ ଏଠାରେ ବିଶାଳ ମେଳାର ଆୟୋଜନ ମଧ୍ୟ ହୋଇଥାଏ। ରାଏ ପଞ୍ଚାୟତ ତଥା ରାଜସ୍ବ ଗ୍ରାମ ଅଧୀନରେ ଏହା ରହିଥିବା ବେଳେ ଏହି ଚନ୍ଦଳି ପାହାଡ଼ ଉପରେ ପାଟ ମା’ଙ୍କ ଆସ୍ଥାନ ରହିଛି । ଦଶହରା ଏବଂ ପୌଷପୂର୍ଣ୍ଣିମାରେ ଏଠାରେ ଭକ୍ତଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଥାଏ । ପୌଷ ପୂର୍ଣ୍ଣିମାରେ ଏଠି ମେଳା ବସୁଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ଆଖପାଖ ପଡୋଶୀ ଜିଲା ଝାରସୁଗୁଡ଼ା, ସମ୍ବଲପୁର ସମେତ ଛତିଶଗଡ଼ ଅଞ୍ଚଳରୁ ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି । ମା’ ଚନ୍ଦଳିପାଟ ପ୍ରତ୍ୟକ୍ଷ ଦେବୀ ହୋଇଥିବା ବେଳେ ତାଙ୍କ ପାଖରେ ମନାସି କଲେ ଅଭିଲାଷ ପୂରଣ ହୋଇଥାଏ ବୋଲି ଲୋକଙ୍କର ଅଗାଧ ବିଶ୍ୱାସ ରହିଛି । ଏଣୁ ପ୍ରତ୍ୟେକ ପୌଷପୂର୍ଣ୍ଣିମାରେ ଲକ୍ଷ ଲକ୍ଷ ଭକ୍ତ ସମବେତ ହୋଇ ମା’ଙ୍କ ପୂଜା ଆରାଧନା କରିଥାନ୍ତି । ଏହା ଜିଲା ତଥା ଅଞ୍ଚଳର ଏକ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପରିଚୟ ସୃଷ୍ଟି କରିଥିବାରୁ ଏହି ପୀଠ ପ୍ରତି ଲୋକଙ୍କ ଦୃଢ ବିଶ୍ୱାସ ଓ ଭକ୍ତି ରହିଛି। କିନ୍ତୁ, ଏହି ପୀଠର ଏଯାବତ କୌଣସି ବିକାଶ ହୋଇପାରି ନ ଥିବାରୁ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଉଛି। ସ୍ଥାନୀୟ ଜନୈକ ଭକ୍ତ ମା’ ଙ୍କ ପୀଠ ଛାତ କରି ସୁରକ୍ଷା ପାଇଁ ଉଦ୍ୟମ କରିଥିବା ବେଳେ ଅନ୍ୟ ଜଣେ ଭକ୍ତ ଗେଟ ନିର୍ମାଣ କରିଛନ୍ତି । ତେବେ ଏହି ପୀଠର ସର୍ବାଙ୍ଗୀନ ବିକାଶର ଜରୁରୀ ଆବଶ୍ୟକତା ରହିଛି। ଏହାରି ନିକଟରେ ଏନଟିପିସିର ବୃହତ ତାପଜ ବିଦ୍ୟୁତ ପ୍ରକଳ୍ପ ଏବେ ପ୍ରତିଷ୍ଠା ହୋଇଛି। ଏଣୁ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ ପାଣ୍ଠିରୁ ଅନୁଦାନ ମଞ୍ଜୁରୀ କରାଯାଇ ଏହି ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠର ବିକାଶ କରାଯିବା ସହିତ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଅଞ୍ଚଳବାସୀ ପକ୍ଷରୁ ଦାବି ହେଉଛି।