କେନ୍ଦ୍ରାପଡ଼ା/ମହାକାଳପଡା,୧୭ା୬: କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଜାମିନ ମିଳିଛି । ଏହି ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଚାମେଲି । ନ୍ୟାୟ ଦେବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
ସେ ଚିଠିରେ ଲେଖିଛନ୍ତି ଯେ, ବରିଷ୍ଠ ଅଧିକାରୀମାନେ ମୋତେ ଅତ୍ୟାଚାର କରିଛନ୍ତି । ମୁଁ ଜଣେ ସାଧାରଣ ସରପଞ୍ଚ । ମୁଁ ଜଣେ ଅବିବାହିତ ଝିଅ, ମୋର ସାମାଜିକ ପ୍ରତିଷ୍ଠା ଓ ସ୍ବାଭିମାନ ହିଁ ମୋର ଜୀବନ । ମହାକାଳପଡ଼ା ଅଂଚଳରେ ଭାଜାପାର ସଂଗଠନକୁ ସୁଦୃଢ଼ କରିବା ପାଇଁ ମୁଁ କାର୍ଯ୍ୟ କରି ଆସୁଛି । ଆଜି ଅତ୍ୟନ୍ତ ଦୁଃଖର ସହ ଜଣାଉଛି ଯେ, ମୋତେ ସ୍ଥାନୀୟ ବିଧାୟକଙ୍କ ପ୍ରରୋଚନା ଓ ଷଡ଼ଯନ୍ତ୍ର ଯୋଗୁ ଏକ ମିଛ ମାମଲାରେ ଫସାଇ ଦେଇଛନ୍ତି । ଆପଣଙ୍କ ମନ୍ କି ବାତ୍ ଶୁଣି ଦେଶ ଗଠନରେ ନିଜକୁ ନିୟୋଜିତ କରିଥିଲି । ୨୦୨୨ ମସିହାରୁ ମୁଁ ସରପଞ୍ଚ ଭାବେ କାର୍ଯ୍ୟ କରି ଆସୁଛି । ନିଜର ଚରିତ୍ର ଓ ଆତ୍ମସମ୍ମାନ ସହ ସାଲିସ୍ ନକରିବା ହିଁ ମୋ ପାଇଁ ଅଭିଶାପ ପାଲଟିଗଲା । ମୁଁ ମୋର ଯନ୍ତ୍ରଣା ଓ ଅସହାୟତା ସଂପର୍କରେ ଜଣାଇବା ପାଇଁ ଏହି ଚିଠି ଲେଖିଥିବା ନେଇ ଚାମେଲି କହିଛନ୍ତି ।

