Categories: ବାଣିଜ୍ୟ

‘ବ୍ୟାଙ୍କକୁ ଉନ୍ନତିମୂଳକ ସ୍ଥିତିରେ ପହଞ୍ଚାଇବାକୁ ଆହ୍ବାନ’

ଭୁବନେଶ୍ୱର,୨୧ା୯: ଭାରତୀୟ ମଜଦୁର ସଂଘ ଦ୍ୱାରା ସମ୍ବର୍ଦ୍ଧିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ (ଓଜିବିକେଏସ୍‌) ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଧିକାରୀ ସଂଘ (ଓଜିବିଏଏସ୍‌)ର ୪ର୍ଥ ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ନିକଟରେ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତୀୟ ମଜଦୁର ସଂଘର ସର୍ବଭାରତୀୟ ସ୍ତରର ସାଧାରଣ ସମ୍ପାଦକ ଗିରୀଶ ଚନ୍ଦ୍ର ଆର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିଭଳି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମହାପ୍ରବନ୍ଧକ ବସନ୍ତ କୁମାର ପାତ୍ର ଏବଂ ଜଗନ୍ନାଥ ପ୍ରସାଦ ନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ ବ୍ୟାଙ୍କକୁ ଉନ୍ନତିମୂଳକ ସ୍ଥିତିରେ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ପୃଥୀରାଜ ପଣ୍ଡା, ରାଜ୍ୟ ସାଙ୍ଗଠନିକ ମନ୍ତ୍ରୀ ଗିରୀଶ ଚନ୍ଦ୍ର ମହନ୍ତ ଏବଂ ସର୍ବଭାରତୀୟ ଗ୍ରାମୀଣ ବ୍ୟାଙ୍କର ମଜଦୁର ସଂଘର ସାଧାରଣ ସମ୍ପାଦକ ନିଶାନ୍ତ ସାଖି ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଂଘକୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ଓଜିବିକେଏସ୍‌ର ମୁଖ୍ୟ ଉପଦେଷ୍ଟା ସରୋଜ କୁମାର ପ୍ରଧାନ ଅତିଥିଭାବେ ଯୋଗଦେଇ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କର ସମସ୍ୟାଗୁଡିକ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।
ଅପରପକ୍ଷରେ ନୂତନ ଭାବେ ଓଜିବିକେଏସ୍‌ର ସଭାପତି ଓ ସାଧାରଣ ସମ୍ପାଦକ ଯଥାକ୍ରମେ ସୁରେଶ ମହାକୁଡ ଓ ବନବିହାରୀ ପୃଷ୍ଟି ହୋଇଥିବା ବେଳେ ଓଜିବିଏଏସ୍‌ର ସଭାପତି ଏବଂ ସାଧାରଣ ସମ୍ପାଦକ ଯଥାକ୍ରମେ ଦେବାଶିଷ ପରିଡ଼ାଏବଂ ପ୍ରିୟବ୍ରତ ଦାସ ନିଯୁକ୍ତ ହୋଇଛନ୍ତି। ରଜନିକାନ୍ତ ମହାପାତ୍ରଙ୍କୁ ମୁଖ୍ୟ ଉପଦେଷ୍ଟା, ସୋମନାଥ ପାଣି, ଉପଦେଷ୍ଟା ଓଜିବିଏଏସ୍‌ ଭାବେ ଦାୟିତ୍ୱ ଦିଆଯାଇଛି। ଉକ୍ତ ସଭାରେ ୫୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରଦୀପ୍ତ କୁମାର ନାୟକ ଗଣମାଧ୍ୟମ କାର୍ଯ୍ୟକୁ ସଞ୍ଚାଳନ କରିଥିଲେ।

Share