ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ ମା’ ଠାକୁରାଣୀ ଗତ ୯ ଦିନ ଧରି ଦ୍ବାର ଦ୍ବାର ବୁଲି ଭକ୍ତଙ୍କୁ ଦର୍ଶନ ଦେଲା ପରେ ରବିବାର ସକାଳେ ନିଜ ଆସ୍ଥାନରେ ବିରାଜମାନ କରିଛନ୍ତି ।
ପୂଜକ ଭକ୍ତଙ୍କ ପିଠିରେ ମା’ଙ୍କୁ ଆସ୍ଥାନକୁ ନେଇଥିଲେ । ମା’ ଠାକୁରାଣୀଙ୍କ ଘଣ୍ଟଯାତ୍ରା ଦ୍ୱିତୀୟା ତିଥିରୁ ଆରମ୍ଭ ହୋଇଥିବାବେଳେ ଲାଞ୍ଜିଗଡ ରାଜ ଉଆସରୁ ଘଣ୍ଟକୁ ଶୃଙ୍ଗାର କରି ଗାଁ ମଝିରେ ଥିବା ମନ୍ଦିରକୁ ଅଣାଯାଇ ପୂଜାର୍ଚ୍ଚନା କରି ପୂଜକମାନେ ଆହ୍ୱାନ କରିଥିଲେ । ଜମ୍ବେଶ୍ୱର ପୂଜାରୀ ମା’ଙ୍କ ଘଣ୍ଟକୁ ମୁଣ୍ଡରେ ବହନ କରିଥିବା ବେଳେ ମୁଖ୍ୟ ପୂଜକ ଅଭିମନ୍ୟୁ ପାତ୍ର ପୂଜାର୍ଚ୍ଚନା ସହିତ ଘଣ୍ଟ ସାଙ୍ଗରେ ଅଞ୍ଚଳର ବିଭିନ୍ନ ଗାଁ ପରିକ୍ରମା କରିଥିଲେ ଏବଂ ଭକ୍ତମାନେ ମା’ଙ୍କୁ ଦର୍ଶନ କରିଥିଲେ । ଦୀର୍ଘ ୮ ଦିନ କାଳ ବିଭିନ୍ନ ଗାଁକୁ ଯାଇ ଭକ୍ତମାନଙ୍କ ଘରେ ପୂଜା ପାଇବା ପରେ ନବମ ଦିନ ନିଜ ମନ୍ଦିରରେ ଗୋଟିଏ ଦିନ ପାଇଁ ବିଶ୍ରାମ ନେଇଥିଲେ। ପୁଣି ସେହିଦିନ ସନ୍ଧ୍ୟାରେ ଲାଞ୍ଜିଗଡ ରାଜାଙ୍କ ଘରକୁ ଯାଇ ପୂଜା ପାଇବା ପରେ ନବମ ଦିବସ ରାତିସାରା ଲାଞ୍ଜିଗଡ ସହରର ସମସ୍ତ ଘରକୁ ଯାଇ ଝୁଣା, ପଣାପାଣି, ଗଜାମୁଆ ଇତ୍ୟାଦି ଭୋଗ ଗ୍ରହଣ କରିଥିଲେ।
ରବିବାର ଉଦଯାପନି ଦିବସରେ ମା’ଙ୍କ ସେବକ ପୂଜାରୀ ପଡ଼ାରୁ ଏକ ବିରାଟ ଆଡୁଆଳରେ ମା’ଙ୍କୁ ମନ୍ଦିରକୁ ଆଣିଥିଲେ। ଗ୍ରାମର ପ୍ରତ୍ୟେକ ପଡାବାସୀ ନିଜ ଦ୍ବାର ସାମ୍ନାରେ ଚିତା ଆଙ୍କି ଘଣ୍ଟ, ଘଣ୍ଟା, ଶଙ୍ଖ, ଖୋଳତାଳ ବାଦ୍ୟରେ ଠାକୁରାଣୀଙ୍କୁ ସ୍ୱାଗତ କରି ଭୋଗ ଅର୍ପଣ କରିଥିଲେ । ମାନସିକଧାରୀମାନେ ବୋଦା, କୁକୁଡ଼ା, ପାରା ବଳି ମଧ୍ୟ ଦେଇଥିବାର ଦେଖିବାକୁ ମିଳିଥିଲା। ଠାକୁରାଣୀ ପରେ ନିଜ ଆସ୍ଥାନକୁ ଆସିବା ସମୟରେ ଭକ୍ତମାନଙ୍କ ପିଠିରେ ଚଢି ନିଜ ଆସ୍ଥାନରେ ବିରାଜମାନ କରିଥିଲେ । ମା’ ପିଠି ଉପରେ ଚଢି ଆସିଲେ ବିଭିନ୍ନ ରୋଗ ଶୋକ ଦୂର ହେବା ସହ ଶାନ୍ତିମୟ ଜୀବନଯାପନ କରିବାର ବିଶ୍ୱାସ ରହିଛି । ମନ୍ଦିରକୁ ଆସିବା ପରେ ଗ୍ରାମର ସମସ୍ତଙ୍କ ଘରୁ ଶସ୍ୟ ସଂଗ୍ରହ କରାଯାଇଥିଲା। ସେହି ଶସ୍ୟଙ୍କୁ ଠାକୁରାଣୀଙ୍କ ଘରେ ପୂଜାର୍ଚ୍ଚନା କଲା ପରେ ଭକ୍ତମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା।
ସେହି ଶସ୍ୟକୁ ରଖି ଅକ୍ଷୟ ତୃତୀୟାରେ ବାହାର କରି ଜମିରେ ଦେଲେ ଭଲ ଅମଳ ହୁଏ ବୋଲି ମଧ୍ୟ ବିଶ୍ୱାସ ରହିଛି। ମା’ ଠାକୁରାଣୀଙ୍କ ୯ ଦିନ ଧରି ଏହି ଘଣ୍ଟଯାତ୍ରା ମହା ଆଡମ୍ବର ସହିତ ପାଳନ ହୋଇଥିବା ବେଳେ ମନ୍ଦିରକୁ ଆଲୋକମାଳାରେ ସୁସଜିତ କରାଯାଇଥିଲା। ଭକ୍ତଙ୍କ ମନରଞ୍ଜନ ପାଇଁ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆଜି ଶେଷଦିନରେ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହି ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ପାଳନ କରିବା ପାଇଁ ମାଁ ଠାକୁରାଣୀ ପୂଜା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

