ନୂଆଦିଲ୍ଲୀ,୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ବ୍ୟବସାୟୀମାନଙ୍କୁ ଖାଦ୍ୟ ସାମଗ୍ରୀ କଳାବଜାରୀ ବା ଗଚ୍ଛିତ ନ କରିବାକୁ ଚେତାବନୀ ଦେଇଛନ୍ତି। ସରକାର କହିଛନ୍ତି ଯେ ଦେଶରେ ଖାଦ୍ୟ ସାମଗ୍ରୀର ପର୍ଯ୍ୟାପ୍ତ ମହଜୁଦ ରହିଛି, ତେଣୁ ଆତଙ୍କିତ ହୋଇ ଅନାବଶ୍ୟକ ଭାବେ ମହଜୁତ କରିବାର ଆବଶ୍ୟକତା ନାହିଁ।
କେନ୍ଦ୍ର ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଗହମ, ଚାଉଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଯଥେଷ୍ଟ ଗଚ୍ଛିତ ରହିଛି। ସରକାର ବ୍ୟବସାୟୀ ଓ ଖୁଚୁରା ବିକ୍ରେତାମାନଙ୍କୁ ବଜାରରେ ସାମଗ୍ରୀର ନିୟମିତ ଯୋଗାଣ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ସହିତ, ମଜୁତଦାରୀ ଏବଂ କୃତ୍ରିମ ଅଭାବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି। ସାଧାରଣ ଜନତାଙ୍କୁ ମଧ୍ୟ ଆତଙ୍କିତ ନହୋଇ ଆବଶ୍ୟକ ଅନୁଯାୟୀ କିଣିବାକୁ ଅନୁରୋଧ କରାଯାଇଛି।


