Categories: ଜାତୀୟ

ସ୍ବପ୍ନାଙ୍କ ଜାମିନକୁ କେନ୍ଦ୍ରର ବିରୋଧ

ଚେନ୍ନାଇ,୧୧।୭: କେରଳ ସୁନା ଚାଲାଣ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ବପ୍ନା ସୁରେଶଙ୍କ ଜାମିନ ଆବେଦନକୁ ଶୁକ୍ରବାର କେନ୍ଦ୍ର ସରକାର ବିରୋଧ କରିଛନ୍ତି। ତାଙ୍କୁୁ ଜାମିନ ଦିଆଗଲେ ଏନ୍‌ଆଇଏର ତଦନ୍ତରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥିବା କେରଳ ହାଇକୋର୍ଟରେ କେନ୍ଦ୍ର ଦର୍ଶାଇଛି। ଏଥିରେ ଖଣ୍ଡପୀଠ ସମ୍ମତି ପ୍ରକାଶ କରିବା ସହ ଶୁଣାଣିକୁ ଜୁଲାଇ ୧୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏଥିସହ ସ୍ବପ୍ନାଙ୍କ ଓକିଲଙ୍କୁ ଏନ୍‌ଆଇଏ ଦ୍ୱାରା ଆଗତ ଏଫ୍‌ଆଇଆର୍‌ କପି ଦେବାକୁ କୋର୍ଟ ରାଜି ହୋଇଛନ୍ତି। ସ୍ବପ୍ନା ଆଗୁଆ ଜାମିନ ଲାଗି ଗୁରୁବାର ହାଇକୋର୍ଟରେ ଆବେଦନ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇନଜୀବୀ ରବି ପ୍ରକାଶ ଏହାକୁ ବିରୋଧ କରି ମାମଲାର ତଦନ୍ତ ଚାଲିଛି ଓ ସ୍ବପ୍ନାଙ୍କୁ ଜେରା କରାଯିବା ବାକି ଅଛି ବୋଲି ଯୁକ୍ତି ବାଢ଼ିଥିଲେ। ପ୍ରକାଶଥାଉ କି, ଏହି ମାମଲାରେ ଶୁକ୍ରବାର ଏନ୍‌ଆଇଏ ପକ୍ଷରୁ ୪ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ସେମାନେ ହେଲେ ସରିଥ କୁମାର, ସ୍ବପ୍ନା ସୁରେଶ, ୟୁଏଇର କୁଖ୍ୟାତ ଚୋରା ବ୍ୟବସାୟୀ ତଥା କିଙ୍ଗପିନ୍‌ ଫାଜିଲ ପରିଦ ଓ ସ୍ବପ୍ନାଙ୍କ ବନ୍ଧୁ ସନ୍ଦୀପ ନାୟର। ରବିବାର ୟୁୂଏଇରୁ ଥିରୁଭାନନ୍ତପୁରମ୍‌କୁ ୩୦ କେଜି ସୁନା ଚାଲାଣ ହେବା ବେଳେ ଜବତ ହୋଇଥିଲା।

Share