ଅବହେଳାରୁ ଅଟକିଛି କେନ୍ଦ୍ରୀୟ ବିଦ୍ୟାଳୟ

ଯୋଡ଼ା,୨୬।୪(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ ନେଇ ସରକାରଙ୍କ ଅବହେଳା ପଦାରେ ପଡ଼ିଛି। ଏନେଇ ଚମ୍ପୁଆରେ ଆନ୍ଦୋଳନ, ବନ୍ଦ ଡାକରା ପ୍ରଭୃତି ଅଞ୍ଚଳବାସୀ କରିଥିଲେ ହେଁ ଏଯାବତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ଅଭାବରୁ ବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟ ଅଟକି ରହିଛି। ପ୍ରାୟ ୫ ବର୍ଷ ପୂର୍ବେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର ସ୍ଥିର କରିଥିଲେ। ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ସ୍ଥାନୀୟ ନେତୃବୃନ୍ଦ କେନ୍ଦ୍ରୀୟ ବିଦ୍ୟାଳୟକୁ ପାସୋରି ଦେଲେ। ପ୍ରଥମେ ବିଦ୍ୟାଳୟ କାଳିକାପ୍ରସାଦରେ ହେବାର ଥିଲା। ଚମ୍ପୁଆ ସଦର ମହକୁମାଠାରୁ ପ୍ରାୟ ୯ କି.ମି. ଦୂର ହୋଇଥିବାରୁ ପୁନଃ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୨ ଜାନୁୟାରୀ ୩ରେ ଚମ୍ପୁଆ ସଦର ମହକୁମାଠାରେ ହିଁ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଚମ୍ପୁଆ ଉପ ଜିଲାପାଳ ନୂତନ ଜାଗା ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହି ସ୍ଥାନଗୁଡ଼ିକ ମଧ୍ୟରେ ମଙ୍ଗଳପୁର, ଗୋଧୂଳି, ପାଞ୍ଚ ପୋଖରିଆ ରହିଛି। ସ୍ଥାନ ଚିହ୍ନଟ କରି ଚୂଡ଼ାନ୍ତ ରିପୋର୍ଟ ଗଣଶିକ୍ଷା ସଚିବଙ୍କୁ ସବିଶେଷ ତଥ୍ୟ ଦିଆଯିବ। ତେଣେ ଅସ୍ଥାୟୀ ଭାବେ ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏଯାବତ ଏହା କାର୍ଯ୍ୟକାରୀ ହୋଇନାହିଁ। ଫଳରେ ଚମ୍ପୁଆ ଉପଖଣ୍ଡର ଛାତ୍ରଛାତ୍ରୀମାନେ ଚଳିତବର୍ଷ ନାମଲେଖାରୁ ବଞ୍ଚତ୍ତ ହୋଇଛନ୍ତି। ନାମଲେଖା ନେଇ ଏପର୍ଯ୍ୟନ୍ତ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବାରୁ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଓଡ଼ିଶାରେ ୬୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଛି। ମାତ୍ର ଖଣିଜ ପ୍ରାଚୁର୍ଯ୍ୟରେ ଭରପୁର ଥିବା ଚମ୍ପୁଆ ଉପଖଣ୍ଡରୁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ଆଦାୟ କରି ଚାଲିଥିବା ବେଳେ ଖଣି ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପହଞ୍ଚାଇବାରେ ବିଫଳ ହୋଇଛନ୍ତି। ଏଥିପାଇଁ ସରକାରୀସ୍ତରରେ ଅବହେଳା କରାଯାଉଥିବାରୁ ଚମ୍ପୁଆରେ କେନ୍ଦ୍ରୀୟ ବିଦ୍ୟାଳୟ ଦୀର୍ଘ ୫ବର୍ଷ ପରେ ମଧ୍ୟ ଖୋଲାଯାଇ ପାରି ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଚମ୍ପୁଆ ଉପ ଜିଲାପାଳ ସୁକାନ୍ତ ମାଝିଙ୍କୁ ପଚାରିବାରୁ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୩/୪ଟି ଅଞ୍ଚଳରେ ଜାଗା ଚିହ୍ନଟ ହୋଇଛି। ବିଦ୍ୟାଳୟ ଖୋଲିବା ପାଇଁ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଅସ୍ଥାୟୀ ଶ୍ରେଣୀ ଗୃହ ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଏ ନେଇ କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି।