ନୂଆଦିଲ୍ଲୀ,୨୫।୯: ସରକାରୀ କର୍ମଚାରୀଙ୍କ ପାଇଁ ସେପ୍ଟେମ୍ୱର ମାସ ଦୁଇଗୁଣ ଖୁସି ନେଇ ଆସିଛି। ସାଧାରଣତଃ ମାସର ଶେଷ ତାରିଖ ଅର୍ଥାତ ୩୦ କିମ୍ୱା ୩୧ ତାରିଖରେ ମିଳୁଥିବା ଦରମା ଏଥର ୫ ଦିନ ପୂର୍ୱରୁ, ଅର୍ଥାତ ୨୫ ସେପ୍ଟେମ୍ୱରରେ ହିଁ କର୍ମଚାରୀଙ୍କ ବ୍ୟାଙ୍କ ଖାତାରେ ଜମା (କ୍ରେଡିଟ) ହେବାକୁ ଯାଉଛି।
ଏବେ ଆପଣ ଭାବୁଥିବେ ଯେ ସରକାର ହଠାତ ଏତେ ଦୟାଳୁ କିପରି ହୋଇଗଲେ? କୌଣସି ପର୍ୱପର୍ୱାଣି ଅଛି ନା ଅନ୍ୟ କିଛି କାରଣ ରହିଛି? ଆସନ୍ତୁ ଜାଣିବା, ଏହି ଆଗୁଆ ଦରମା ପଛର ପ୍ରକୃତ କାରଣ କ’ଣ।
ଦରମା ଶୀଘ୍ର ଆସିବା ପଛରେ ସରକାରଙ୍କ ଶୁଭେଚ୍ଛା ତ ନିଶ୍ଚୟ ରହିଛି, କିନ୍ତୁ ଏହାର ସବୁଠାରୁ ବଡ଼ କାରଣ ହେଉଛି ବ୍ୟାଙ୍କ ବନ୍ଦ ରହିବା। ବାସ୍ତବରେ, ସେପ୍ଟେମ୍ୱରର ଶେଷ ସପ୍ତାହରେ ବ୍ୟାଙ୍କ ସେବା ବହୁ ମାତ୍ରାରେ ପ୍ରଭାବିତ ହେବାକୁ ଯାଉଛି। ୨୬ ସେପ୍ଟେମ୍ୱର ମାସର ଚତୁର୍ଥ ଶନିବାର ହୋଇଥିବାରୁ ବ୍ୟାଙ୍କଗୁଡ଼ିକ ସରକାରୀ ଭାବେ ଛୁଟି ରହିବ।
ସେହିପରି ୨୭ ସେପ୍ଟେମ୍ୱର ସପ୍ତାହର ନିୟମିତ ରବିବାର ଛୁଟି ରହିଛି, ଯଦିଓ ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଅନ୍ୟପଟେ ୨୮ ରୁ ୩୦ ସେପ୍ଟେମ୍ୱର ଅର୍ଥାତ୍ ସୋମବାରରୁ ବୁଧବାର ପର୍ଯ୍ୟନ୍ତ ’ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ’ (UFBU) ନିଜ ଦାବିଗୁଡ଼ିକୁ ନେଇ ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଘୋଷଣା କରିଛି।
ଥରେ ଭାବନ୍ତୁ, ଯଦି ୨୬ ରୁ ୩୦ ସେପ୍ଟେମ୍ୱର ମଧ୍ୟରେ ବ୍ୟାଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ରହିବ, ତେବେ ମାସର ଶେଷ ତାରିଖରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଦରମା ପ୍ରୋସେସ କିପରି ହେବ?
ଏହି ମୁଣ୍ଡବିନ୍ଧାରୁ ବଞ୍ଚିବା ପାଇଁ ଅର୍ଥ ମନ୍ତ୍ରଣାଳୟ ବୁଦ୍ଧିମାନର ପଦକ୍ଷେପ ନେଇ ସମସ୍ତ ସରକାରୀ ବିଭାଗ ଏବଂ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛି ଯେ, ସେମାନେ ବିନା ବିଳମ୍ୱରେ ୨୫ ସେପ୍ଟେମ୍ୱରରେ ହିଁ ଆଗୁଆ ଦରମା ପ୍ରଦାନ କରିଦିଅନ୍ତୁ।