ନୂଆଦିଲ୍ଲୀ,୮ା୭(ପି.ଟି.): କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଧନୀଙ୍କୁ ଅଧିକ ଧନୀ କରାଇବା ସହ ସାଧାରଣ ନିବେଶକମାନଙ୍କୁ ବରବାଦ ମଧ୍ୟକୁ ଠେଲିଦେଉଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ଅଭିଯୋଗ କରିଛନ୍ତି। ଫ୍ୟୁଚର୍ସ ଆଣ୍ଡ ଅପ୍ସନ୍ସ(ଏଫ୍ ଆଣ୍ଡ ଓ) ମାର୍କେଟରେ ବଡ଼ ନିବେଶକମାନଙ୍କ ଦ୍ୱାରା ଜାଲିଆତି ହେଉଥିବା ଘଟଣାରେ ସରକାର ଚୁପ୍ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଫ୍ ଆଣ୍ଡ ଓ ମାର୍କେଟ ବଡ଼ ନିବେଶକଙ୍କ ଅକ୍ତିଆରରେ ଥିବାବେଳେ ଛୋଟ ନିବେଶକମାନେ କ୍ରମାଗତ ଭାବେ ସେଥିରୁ ବାଦ୍ ପଡ଼ିଚାଲିଛନ୍ତି ବୋଲି ରାହୁଲ ଗତବର୍ଷ କହିଥିଲେ। ଜେନ୍ ଷ୍ଟ୍ରିଟ୍ ଗ୍ରୁପ୍ ଅନେକ ହଜାର କୋଟି ଜାଲିଆତିରେ ସମ୍ପୃକ୍ତ ଥିବା ଏବେ ବଜାର ନିୟନ୍ତ୍ରକ ସେବି ସ୍ବୀକାର କରିଛି। ସେବି ଏପର୍ଯ୍ୟନ୍ତ କ’ଣ ପାଇଁ ନୀରବ ରହିଥିଲା ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। କେବଳ ଜେନ୍ ଷ୍ଟ୍ରିଟ୍ ନୁହେଁ ଆହୁରି ଅନେକ ନିବେଶକ ଜାଲିଆତିରେ ସମ୍ପୃକ୍ତ ଥିବାବେଳେ ମୋଦି ସରକାର ସେଥିପ୍ରତି ଆଖି ବୁଜିଦେଇଥିବା କଂଗ୍ରେସ ନେତା ଅଭିଯୋଗ କରିଛନ୍ତି।


