ଅସୁରଗଡ଼ରେ କେନ୍ଦ୍ରୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ଟିମ୍‌

ସମ୍ବଲପୁର,୯ା୯(ବ୍ୟୁରୋ): ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ) ଇତିହାସ ବିଭାଗ ଦ୍ୱାରା ଅସୁରଗଡ଼ରେ ଉତ୍‌ଖନନ କରାଯାଇ ପ୍ରାଚୀନ ଇତିହାସ ସାମ୍ରାଜ୍ୟ ଥିବା ନେଇ ପ୍ରମାଣ ମିଳିଥିଲା। ଏହାପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହାର ସଂରକ୍ଷଣ ଓ ସୁରକ୍ଷିତ ରଖିବା ପାଇଁ ଜିଏମ୍‌ୟୁ ପକ୍ଷରୁ ଅନୁରୋଧ କରାଯାଇଥିଲା। ଜିଏମ୍‌ୟୁର ଅନୁରୋଧକ୍ରମେ ଗୁରୁବାର ଅସୁରଗଡ଼କୁ କେନ୍ଦ୍ରୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଉତ୍‌ଖନନ ଶାଖା-୪ର ଏକ ଟିମ୍‌ ପହଞ୍ଚତ୍ଥିଲେ। ପ୍ରତ୍ନତତ୍ତ୍ବବିତ୍‌ ଡ. ସୁଶାନ୍ତ କୁମାର କରଙ୍କ ନେତୃତ୍ୱରେ ଟିମ୍‌ ଆସିଥିଲେ। ସେମାନେ ବରପାଲିସ୍ଥିତ ଅସୁରଗଡ଼ ଯାଇ ସ୍ଥିତି ପରଖିଥିଲେ। ଏଥିରେ ଉତ୍‌ଖନନ ନିର୍ଦ୍ଦେଶକ ତଥା ଜିଏମ୍‌ୟୁ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ଡ. ଅତୁଳ କୁମାର ପ୍ରଧାନ, ସହନିର୍ଦ୍ଦେଶକ ଡ. ଉମାକାନ୍ତ ମିଶ୍ର ଉପସ୍ଥିତ ଥିଲେ। ବର୍ଷା ଯୋଗୁ ଉତ୍‌ଖନନ କାର୍ଯ୍ୟ ବନ୍ଦ ରହିଛି। ଜଙ୍ଗଲରେ ଅନାବନା ଲତା ହୋଇଥିବାରୁ ସର୍ବେକ୍ଷଣରେ ବାଧା ସୃଷ୍ଟି ହେବ। ଏଣୁ ବର୍ଷା ସମୟ ଯାଇ ଗ୍ରୀଷ୍ମଋତୁରେ ଖନନ କାର୍ଯ୍ୟ ଆରମ୍ଭ କରାଯିବ। ଏଥିପାଇଁ ସରକାରଙ୍କ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଡ. କର ପ୍ରତିଶ୍ରୁତି ଦେଇଥିଲେ।