Categories: ବାଣିଜ୍ୟ

ଭଙ୍ଗା ଚାଉଳ ରପ୍ତାନିକୁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ,୧୪।୧୦: ଗତ କିଛିଦିନ ହେବ ଦେଶର ପ୍ରମୁଖ ବନ୍ଦରଗୁଡିକରେ ଟନ ଟନ ଭଙ୍ଗା ଚାଉଳ (ବ୍ରୋକେନ ରାଇସ) ରପ୍ତାନି ନ ହୋଇ ପଡିରହିଛି। କାରଣ ଭାରତ ସରକାର ନିକଟରେ ବିଦେଶକୁ ଚାଉଳ ରପ୍ତାନି ନ କରିବା ଲାଗି ଏକ ନିଷେଧାଦେଶ ଜାରି କରିଥିଲେ। ଫଳରେ ବିଦେଶକୁ ପ୍ରାୟ ୩,୯୭,୨୬୭ ଟନ୍‌ ଭଙ୍ଗା ଚାଉଳ ରପ୍ତାନି ହୋଇପାରିନାହିଁ। ବିଶେଷକରି ନିକଟରେ କେନ୍ଦ୍ର ସରକାର ବିଭିନ୍ନ କାରଣ ଯୋଗଁୁ ଗତ ସେପ୍ଟେମ୍ବର ୮ରେ ଭାରତ ସରକାର ଭଙ୍ଗା ଚାଉଳର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ସହ ରପ୍ତାନି ଉପରେ ମଧ୍ୟ ହଠାତ୍‌ ନିଷେଧାଦେଶ ଜାରି କରିଥିଲେ। ଫଳରେ ଭାରତରୁ ବିଦେଶକୁ ମାଲ ପରିବହନ (ଭଙ୍ଗା ଚାଉଳ) ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ଏ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କ ସହ ଉଭୟ ବନ୍ଦର କର୍ତ୍ତୃପକ୍ଷ ଓ ଚାଉଳ ବ୍ୟବସାୟୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ବେଳେ ଚାଉଳ ରପ୍ତାନିକୁ ନେଇ ମଧ୍ୟ ସରକାର ଏକ ବଡ଼ ଘୋଷଣା କରିଥିବା ଜଣାପଡିଛି। ସେହିଭଳି ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ଚଳିତ ବର୍ଷ ସେପ୍ଟେମ୍ବର ୮ ପୂର୍ବରୁ ଜାରି ହୋଇଥିବା କ୍ରେଡିଟ୍‌ ଅଫ୍‌ କ୍ରେଡିଟ୍‌ (ଏଲ୍‌ସି) ଦ୍ୱାରା ସମର୍ଥିତ ୩,୯୭,୨୬୭ ଟନ୍‌ ଭଙ୍ଗା ଚାଉଳ ବିଦେଶକୁ ପଠାଇବାକୁ କେନ୍ଦ୍ର ସରକାର ମଧ୍ୟ ଅନୁମତି ଦେଇଛନ୍ତି। ସେହିପରି ଭାରତ ବିଶ୍ୱରେ ସବୁଠାରୁ ବଡ଼ ଚାଉଳ ରପ୍ତାନିକାରୀ ଦେଶ ଭାବେ ପରିଗଣିତ ହେଉଛି। ଏପରିକି ଚାଉଳ ରପ୍ତାନି ବ୍ୟାପାରରେ ଭାରତ ଏକା ୪୦% ଅଂଶ ସାରା ବିଶ୍ୱରେ ପୂରଣ କରୁଛି। ଭାରତ ୧୫୦ରୁ ଅଧିକ ଦେଶଙ୍କୁ ଚାଉଳ ରପ୍ତାନି କରିଥାଏ। କିନ୍ତୁ ଦେଶର କିଛି ରାଜ୍ୟରେ ବର୍ଷା କମ୍‌ ପରିମାଣରେ ହେବାରୁ ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଥିଲେ ବୋଲି କୁହାଯାଉଛି। ଅପରପକ୍ଷରେ କେନ୍ଦ୍ର ସରକାର ଭଙ୍ଗା ବାସ୍‌ମତି ଚାଉଳ ଉପରେ ମଧ୍ୟ ୨୦% ରପ୍ତାନି କରି ଲଗାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଏ ସମ୍ପର୍କରେ ଚାଉଳ ରପ୍ତାନିକାରୀ ସଂଘର ସଭାପତି ବି.ଭ.ି କ୍ରିଷ୍ଣା ରାଓ କହିଛନ୍ତି, ପୂର୍ବରୁ ଦିଆଯାଇଥିବା ଏଲ୍‌ସି ବିରୋଧରେ ରପ୍ତାନିକୁ ଅନୁମତି ଦେବା ପାଇଁ ସରକାର ରାଜି ହୋଇଛନ୍ତି। ଫଳରେ ସରକାରଙ୍କ ଏହି ନିଷ୍ପତ୍ତି ସମସ୍ତ ବ୍ୟବସାୟୀଙ୍କୁ ବେଶ୍‌ ସାହାଯ୍ୟ କରିବ।

Share