ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା ଏସଡିପିଓ ଶୁଭମ ଭୋସଲେଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ତତ୍ତ୍ବାବଧନରେ ଦାରିଙ୍ଗବାଡି ଅଞ୍ଚଳରେ ରହିଥିବା ସମସ୍ତ ହୋଟେଲରେ ପର୍ଯ୍ୟଟକଙ୍କ ରାତ୍ରିଯାପନକୁ ସୁରକ୍ଷିତକୁ ନିଶ୍ଚିତ କରାଇବା ପାଇଁ ସିସି ଟିଭି ଖଞ୍ଜିବା ଓ ତାର ଭିଡିଓ ଫୁଟେଜକୁ ଅତି କମରେ ୧୫ ଦିନ ପର୍ଯ୍ୟନ୍ତ ସଂରକ୍ଷଣ ରଖିବାକୁ ସୁନିଶ୍ଚିତ କରାଯାଇଛି ।

ଏହି ପ୍ରରିପ୍ରେକ୍ଷୀରେ ପୋଲିସ ବାହିନୀ ଅଞ୍ଚଳରେ ରହିଥିବା ହୋଟେଲ, ରିସର୍ଟ, ରେଷ୍ଟୁରାଣ୍ଟ ଗୁଡିକୁ ଯାଞ୍ଚ କରିବା ସହ ସମସ୍ତଙ୍କୁ ଏହି ପ୍ରକ୍ରିୟାକୁ ତୁରନ୍ତ ୭ ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରାଇବାକୁ ନିର୍ଦ୍ଦେଶ ଦେଇଛି । ପୋଲିସ ନିର୍ଦ୍ଦେଶ ପରେ ଏହା କାର୍ଯ୍ୟକ୍ଷମ ହୋଇଛି କି ନାହିଁ ତାହା ଆସନ୍ତା ୨୨ରେ ପୁଣି ଯାଞ୍ଚ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସେହିପରି ବଜାରରେ ସିସି କ୍ୟାମେରା ଖଞ୍ଜାଯିବ ଏଥିପାଇଁ ହୋଟେଲ ସଙ୍, ବଣିକ ସଙ୍ଘ ଏବଂ ପ୍ରଶାସନର ଏକ ମିଳିତ ବୈଠକ କରାଯାଇ ମିଳିତ ଭାବେ ସମସ୍ତ ଛକ ଓ ବଜାରରେ ସିସି କ୍ୟାମେରା ଖଞ୍ଜା ଯିବା ବ୍ୟବସ୍ଥା କରାଯିବ ବୋଲି ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି ।

ସୂଚନାଯୋଗ୍ୟଯେ ଗତ ୨ ମାସ ତଳେ ଅଞ୍ଚକରେ ଏକାଧିକ ଚୋରି କେଶ୍ ସାମ୍ନାକୁ ଆସିଥିବା ବେଳେ ପୋଲିସ ଉକ୍ତ ମାମଲାରେ କାହାରିକୁ ଗିରଫ କରିବାରେ ସଫଳ ହୋଇନାହିଁ । ସେହିପରି ଭଦ୍ରକ ଭଣ୍ଡାରିପୋଖରୀର ଜଣେ ଯୁବକ ଦାରିଙ୍ଗବାଡିର ଗୋଟିଏ ହୋଟେଲରେ ରାତ୍ରିଯାପନ କରିବା ସହ ପରେ ତାଙ୍କ ଗଳିତ ମୃତଦେହ ଝୁଲନ୍ତା ଅବସ୍ଥାରେ ରେନବୋ ଜଳପ୍ରପାତ ନିକଟରେ ମିକିବା ଘଟଣାର ତଦନ୍ତ ବେଳେ ପୋଲିସ ତଦନ୍ତ ପାଇଁ ସିସି ଟିଭି ଫୁଟେଜ ସଂଗ୍ରହ ବେଳେ ନାକେଦମ ହେବାକୁ ପଡିଥିଲା । ଏହାର ସରଳ ସମାଧାନ ପାଇଁ ଏବେ ସମସ୍ତ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ ଏହି ସିସି ଟିଭି ଖଞ୍ଜିବା ଓ ତାର ଷ୍ଟୋରେଜ ନିୟମିତ ଯାଞ୍ଚ କରିବା ସହ ରାତ୍ରିଯାପନ କରୁଥିବା ପର୍ଯ୍ୟଟକଙ୍କ ତଥ୍ୟ ଆଧାରକାର୍ଡ଼ ପୋଲିସ ଷ୍ଟେସନ ରେ ଦେବା ଆଦି ବାଧ୍ୟତାମୂଳକ କରାଯାଇଛି ବୋଲି ପୋଲିସ କହିଛି ।

 

Dharitri – Odisha’s No.1 Odia Daily

Share