ଅଯୋଧ୍ୟା ପ୍ରସାଦ ନାଁରେ ମିଠା ବିକ୍ରି, ଆମାଜନ୍‌କୁ ଏତେ ଲକ୍ଷର ଜୋରିମାନା

ନୂଆଦିଲ୍ଲୀ, ୧୯।୮: ଶ୍ରୀରାମ ମନ୍ଦିର ଅଯୋଧ୍ୟା ପ୍ରସାଦ ନାଁରେ ସାଧାରଣ ମିଠା ବିକ୍ରି କରିବା ଆମାଜନ୍‌କୁ ମହଙ୍ଗା ପଡ଼ିଛି । କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ୍ ସେଲର ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌ ଉପରେ ୧ ଲକ୍ଷ ଜୋରିମାନା ଲଗାଇଛି । ଏହାକୁ ଭ୍ରାମକ ବିଜ୍ଞାପନ ଏବଂ ଉପଭୋକ୍ତାଙ୍କୁ ଠକୁଥିବା ନେଇ CCPA ଦର୍ଶାଇଛି ।

CCPA ଅନୁସାରେ, ଏହି ନାମରେ ଉତ୍ପାଦ ବିକ୍ରି ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୌଣସି ଅନୁମତି ଥିବା ପ୍ରମାଣ ମିଳିନଥିଲା। ଟ୍ରଷ୍ଟର ଅନୁମତି ବିନା ସାଧାରଣ ମିଠା ପାଇଁ ‘ଶ୍ରୀରାମ ମନ୍ଦିର ଅଯୋଧ୍ୟା ପ୍ରସାଦ’ ନାମ ବ୍ୟବହାର କରିବା କେବଳ ଉପଭୋକ୍ତା ସୁରକ୍ଷା ଆଇନ ଅନୁସାରେ ଭ୍ରାମକ ବ୍ୟବସାୟିକ ପ୍ରଥା ନୁହେଁ, ବରଂ ଏହା କୋଟି କୋଟି ଲୋକଙ୍କ ଧାର୍ମିକ ଭାବନାକୁ ମଧ୍ୟ ଆଘାତ କରିପାରେ।

ଆମାଜନ୍‌ ଭଳି ବଡ଼ ଇ-କମର୍ସ ପ୍ଲାଟଫର୍ମରେ ଏପରି ଉତ୍ପାଦ ଲିଷ୍ଟ ହେବା ଦ୍ୱାରା ଗ୍ରାହକଙ୍କ ମନରେ ଉତ୍ପାଦର ପ୍ରାମାଣିକତା ନେଇ ବିଶ୍ୱାସ ସୃଷ୍ଟି ହୋଇପାରେ ବୋଲି ପ୍ରାଧିକରଣ କହିଛି । CCPA ଅନୁସାରେ, ୨୨ ଜାନୁଆରୀ ୨୦୨୪ର ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏହି ଉତ୍ପାଦଗୁଡ଼ିକ ଆମାଜନ୍‌ରେ ଲିଷ୍ଟ ହୋଇଥିଲା। ଏହାକୁ ନେଇ CCPA ୧୯ ଜାନୁଆରୀ ୨୦୨୪ରେ ଆମାଜନ୍‌କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା। ନୋଟିସ୍‌ ପରେ ଆମାଜନ୍‌ ସମ୍ପୃକ୍ତ ଲିଷ୍ଟିଂଗୁଡ଼ିକୁ ହଟାଇ ଦେଇଥିଲା। ଆମାଜନ୍‌ ନିଜକୁ କେବଳ ଏକ ମଧ୍ୟସ୍ଥ ପ୍ଲାଟଫର୍ମ ବୋଲି କହିଥିଲେ ମଧ୍ୟ, CCPA ମତରେ ଏପରି ଲିଷ୍ଟିଂ ରୋକିବା ପାଇଁ ପ୍ଲାଟଫର୍ମକୁ ପୂର୍ବରୁ ଯଥେଷ୍ଟ ପଦକ୍ଷେପ ନେବା ଆବଶ୍ୟକ ଥିଲା।

CCPA କହିଛି ଯେ, ଆମାଜନ୍‌ରେ ଦେଶବ୍ୟାପୀ ଡେଲିଭରି ପାଇଁ ଏହି ଉତ୍ପାଦଗୁଡ଼ିକ ଉପଲବ୍ଧ ଥିଲା। ଚନ୍ଦୁ ଟ୍ରେଡିଂ କମ୍ପାନୀ ନାମକ ଜଣେ ବିକ୍ରେତାଙ୍କ ଲିଷ୍ଟିଂରୁ ୨୫,୨୬,୩୦୯ର ମୋଟ ବିକ୍ରି ହୋଇଥିଲା। ଏହାସହ ଆମାଜନ୍‌ ମଧ୍ୟ ମାର୍କେଟପ୍ଲେସ୍‌ ପରିଚାଳନା ମାଧ୍ୟମରେ କମିଶନ୍‌ କିମ୍ବା ଫି’ରୁ ଆୟ କରିଥିଲା। ଏହାକୁ ଆଧାର କରି CCPA ଉପଭୋକ୍ତା ସୁରକ୍ଷା ଆଇନ, ୨୦୧୯ ଏବଂ ଇ-କମର୍ସ ନିୟମ, ୨୦୨୦ ଅନୁସାରେ ଆମାଜନ୍‌କୁ ଭ୍ରାମକ ବିଜ୍ଞାପନ ପାଇଁ ଦାୟୀ କରିଛି। ଆମାଜନ୍‌କୁ ୧୫ ଦିନ ମଧ୍ୟରେ ୧ ଲକ୍ଷ ଜରିମାନା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

Dharitri – Odisha’s No.1 Odia Daily

Share