Categories: ଫୁରସତ

ଫୁଲ ପରି ବନ୍ଧାକୋବି

ବନ୍ଧାକୋବି ଖାଇବାକୁ କିଏ ପସନ୍ଦ କରନ୍ତି ତ ଆଉ କିଏ ନୁହେଁ। କିନ୍ତୁ ଏମିତି ଏକ ପ୍ରକାରର ବନ୍ଧାକୋବି ଅଛି, ଯାହାକୁ ଦେଖୁ ଦେଖୁ ଭଲ ପାଇବସିବେ। କାରଣ ତାହା ଦେଖିବାକୁ ଏତେ ସୁନ୍ଦର ଯେ, ତା’ ଉପରୁ ନଜର ହଟେଇ ହେବ ନାହିଁ। ରଙ୍ଗିନ୍‌ ସୁନ୍ଦର ଫୁଲ ପରି ଦେଖିବାକୁ ଏହି ବନ୍ଧାକୋବି। କିଛି କିଛି ତ ବଡ଼ ବଡ଼ ଗୋଲାପ ଫୁଲ ପରି ଲାଗେ। ଏହି ସ୍ବତନ୍ତ୍ର ଧରଣର ବନ୍ଧାକୋବି ଅର୍ନାମେଣ୍ଟାଲ କାବେଜ୍‌ ଭାବେ ପରିଚିତ। ଜାପାନ ହେଉଛି ଏହାର ଜନ୍ମସ୍ଥାନ। ଏହି ଅର୍ନାମେଣ୍ଟାଲ କାବେଜ୍‌ ସାଧାରଣତଃ ଦୁଇ ପ୍ରକାରର। ଅର୍ନାମେଣ୍ଟାଲ କାବେଜ୍‌ ଓ ଅର୍ନାମେଣ୍ଟାଲ କେଲ୍‌। ଅର୍ନାମେଣ୍ଟାଲ କାବେଜ୍‌୍‌ର ପତ୍ର ବଡ଼ ଏବଂ ଓସାରିଆ। କିନ୍ତୁ ଅର୍ନାମେଣ୍ଟାଲ୍‌ କେଲ୍‌ର ପତ୍ର ଅଧିକ କୁଞ୍ଚୁକୁଞ୍ଚତ୍ଆ, ସେଥିରେ ଡିପ୍‌ କଟ୍‌ ଥାଏ। ଉଭୟ ଅର୍ନାମେଣ୍ଟାଲ କାବେଜ୍‌ ଓ କେଲ୍‌ ବାଇଗଣୀ, ଧଳା ଓ ଗୋଲାପୀ ଭଳି ତିନୋଟି ରଙ୍ଗରେ ଦେଖିବାକୁ ମିଳେ। ଏହା ଥଣ୍ଡା ଜଳବାୟୁରେ ଭଲ ବଢ଼ିଥାଏ। ତେବେ ଦେଖିବାକୁ ଖୁବ୍‌ ସୁନ୍ଦର ହେଲେ ହେଁ ଏହା ସାଧାରଣ ବନ୍ଧାକୋବି ପରି ଏତେ ସ୍ବାଦିଷ୍ଠ ନୁହେଁ। ପ୍ରାୟତଃ ପିତା ଲାଗେ। ତେଣୁ ଏହାକୁ କେବଳ ଖାଦ୍ୟ ସଜାଇବା ପାଇଁ ଅଧିକ ବ୍ୟବହାର କରାଯାଏ। ଯଦିଓ ଦୁଇ ଥର ସିଝାଇ ଏହାର ପିତା ଅଂଶ କମ୍‌ କରି ଖାଇହେବ। ତେବେ ଅର୍ନାମେଣ୍ଟାଲ କାବେଜ୍‌ର ଟୋକିଓ ଭେରାଇଟି ସ୍ବାଦିଷ୍ଠ ହୋଇଥାଏ। ସେ ଯାହାବି ହେଉ, ଏହାକୁ ବଗିଚାରେ ଲଗାଇଲେ ଯେ ଘରର ଶୋଭା ବଢ଼ିବ ସେଥିରେ ଦ୍ୱିମତ ନାହିଁ।

Share