ୱାଶିଂଟନ/କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଏକ ବଡ଼ ଧରଣର ବିପଦ ଦେଖାଦେଇଛି। ଏକ ଶିଳ୍ପାଞ୍ଚଳ (Industrial Site) ରେ ରଖାଯାଇଥିବା ବିଷାକ୍ତ କେମିକାଲ ଟାଙ୍କି ହଠାତ ଅତ୍ୟଧିକ ଗରମ ହୋଇଯିବା ଯୋଗୁଁ ସେଠାରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ବିସ୍ଫୋରଣ ଏବଂ ବିଷାକ୍ତ ଗ୍ୟାସ ବ୍ୟାପିବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ପ୍ରାୟ ୪୦ ହଜାର ଲୋକଙ୍କୁ ତୁରନ୍ତ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଡିଜ୍ନିଲ୍ୟାଣ୍ଡ’ (Disneyland) ନିକଟରେ ଏହି ଘଟଣା ଘଟିଥିବାରୁ ପ୍ରଶାସନ ହାଇ-ଆଲର୍ଟରେ ରହିଛି।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଉକ୍ତ ଟାଙ୍କିରେ ‘ମିଥାଇଲ ମେଥାକ୍ରିଲେଟ’ (Methyl Methacrylate) ନାମକ ଏକ ବିଷାକ୍ତ ରାସାୟନିକ ପଦାର୍ଥ ଭର୍ତ୍ତି ହୋଇ ରହିଛି। ଏହି କେମିକାଲ ସାଧାରଣତଃ ପ୍ଲାଷ୍ଟିକ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ। ଏହା ଅତ୍ୟନ୍ତ ଜ୍ୱଳନଶୀଳ ଏବଂ ସାମାନ୍ୟ ଅସାବଧାନତା ଯୋଗୁଁ ଏଥିରେ ତୁରନ୍ତ ନିଆଁ ଲାଗିଯାଇଥାଏ, ଯାହା ମାନବ ଶରୀର ପାଇଁ ଅତ୍ୟନ୍ତ ମାରାତ୍ମକ ବୋଲି ବିବେଚନା କରାଯାଏ।
ଅଗ୍ନିଶମ ବାହିନୀର ଅଧିକାରୀଙ୍କ କହିବା ଅନୁଯାୟୀ, ଟାଙ୍କିର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସାଧାରଣତଃ ଏହି କେମିକାଲ ପାଇଁ ୫୦ ଡିଗ୍ରୀ ତାପମାତ୍ରାକୁ ସୁରକ୍ଷିତ ମନେକରାଯାଏ, କିନ୍ତୁ ଶୁକ୍ରବାର ସଂଧ୍ୟା ସୁଦ୍ଧା ଏହାର ତାପମାତ୍ରା ବଢ଼ି ପ୍ରାୟ ୬୧ ଡିଗ୍ରୀ ସେଲସିୟସରେ ପହଞ୍ଚି ଯାଇଥିଲା।
ଯଦି ଏହି ଟାଙ୍କିଟି ବିସ୍ଫୋରଣ ହୁଏ କିମ୍ୱା ଏଥିରୁ ଗ୍ୟାସ ଲିକ ହୁଏ, ତେବେ ଆଖପାଖ ଅଞ୍ଚଳର ଲୋକଙ୍କୁ ଶ୍ୱାସକ୍ରିୟାରେ ପ୍ରବଳ କଷ୍ଟ ଅନୁଭବ ହେବ। ଏହା ବ୍ୟତୀତ ମୁଣ୍ଡ ବୁଲାଇବା, ଫୁସଫୁସରେ ପ୍ରଦାହ (ଜଳାପୋଡ଼ା) ଏବଂ ବାନ୍ତି ହେବା ଭଳି ଗମ୍ଭୀର ସୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ।
ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଧିକାରୀମାନେ ଟାଙ୍କିରୁ ପ୍ରାୟ ୭,୦୦୦ ଗ୍ୟାଲନ କେମିକାଲ ବାହାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଟାଙ୍କିର ଭାଲ୍ଭ (Valve) ଖରାପ ହୋଇଯାଇଥିବାରୁ ଏହି କାର୍ଯ୍ୟ ସଫଳ ହୋଇପାରିନାହିଁ। ବର୍ତ୍ତମାନ ଟାଙ୍କି ଫାଟିବା କିମ୍ୱା ବିଷାକ୍ତ କେମିକାଲ ଚତୁର୍ଦ୍ଦିଗରେ ବ୍ୟାପିବାର ବଡ଼ ଭୟ ରହିଛି।
ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରାୟ ୯ ବର୍ଗ ମାଇଲ ଅଞ୍ଚଳକୁ ସମ୍ପୂର୍ଣ୍ଣ ଖାଲି କରାଇଛି। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳର ୧୩ଟି ସ୍କୁଲ ଏବଂ ୨ଟି ବଡ଼ ଶିକ୍ଷାନୁଷ୍ଠାନକୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି।
ଏହି ଶିଳ୍ପାଞ୍ଚଳଟି ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ‘ଡିଜ୍ନିଲ୍ୟାଣ୍ଡ’ ଠାରୁ ମାତ୍ର ୫ ମାଇଲ ଦୂରରେ ଅବସ୍ଥିତ। ପ୍ରଶାସନ ପକ୍ଷରୁ କ୍ରମାଗତ ଭାବେ ସେଠାକାର ବାୟୁର ମାନ (Air Quality) ଯାଞ୍ଚ କରାଯାଉଛି। ଅଧିକାରୀମାନେ ଜନସାଧାରଣଙ୍କୁ କୌଣସି ପ୍ରକାର ଗୁଜବରୁ ଦୂରେଇ ରହିବା ସହ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ନିବେଦନ କରିଛନ୍ତି।