ଥାନାରୁ ଅଭିଯୁକ୍ତ ଫେରାର ମାମଲା: ଏଏସ୍‌ଆଇ, ଦୁଇ କନ୍‌ଷ୍ଟେବଲଙ୍କୁ ବଦଳି

ଆନନ୍ଦପୁର,୧୩।୭(ସନ୍ତୋଷ ରାଉତ): ଚୋରି ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ଥାନାରୁ ଫେରାର ହୋଇଯିବା ଘଟଣାରେ ଆନନ୍ଦପୁର ଥାନା ଏଏସ୍‌ଆଇ ଓ ଦୁଇ କନ୍‌ଷ୍ଟେବଲଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ସେମାନେ ହେଲେ ଥାନା ଏଏସ୍‌ଆଇ ଅନୁପ କୁମାର ଲୁଗୁନ, କନ୍‌ଷ୍ଟେବଲ ମିନାକ୍ଷୀ ମଲ୍ଲିକ ଓ ବିଜୟ ନାୟକ।
ଦାୟିତ୍ୱରେ ଅବହେଳା ଯୋଗୁ ଜିଲା ଆରକ୍ଷୀ ଅଧୀକ୍ଷକ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ମୋବାଇଲ୍‌ ଫୋନ ଲୁଟ୍‌ ଏବଂ ପାନ ଦୋକାନରୁ ଚୋରି ଘଟଣାରେ ଆନନ୍ଦପୁର ଥାନା ପୋଲିସ ଏକ ମାମଲା( ନଂ.୧୪୨/୨୩) ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ ପୋଲିସ ମଙ୍ଗଳବାର ଫକୀରପୁର ଗ୍ରାମର ଅମର ସାହୁଙ୍କୁ ଗିରଫ କରିଥିଲା। ହେଲେ ବୁଧବାର କୌଶଳ କ୍ରମେ ଥାନାରୁ ଅଭିଯୁକ୍ତ ଅମର ଚମ୍ପଟ ମାରିଥିଲା।
ପରବର୍ତ୍ତୀ ସମୟରେ ପୋଲିସ ଅଭିଯୁକ୍ତଙ୍କୁ ଆନନ୍ଦପୁର ପୌର ପରିଷଦ ଫକୀରପୁର ଅଞ୍ଚଳରୁ ବୈତରଣୀ ନଦୀବନ୍ଧ ରାସ୍ତାରୁ ଗିରଫ କରିବାରେ ସଫଳ ହୋଇଥିଲା। ଏନେଇ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅନ୍ୟ ଏକ ମାମଲା(ନଂ.୧୪୩/୨୩) ରୁଜୁ ହୋଇଛି। ଥାନା ପରିସରରୁ ଅଭିଯୁକ୍ତ ଫେରାର ହେବା ଘଟଣା ଜାଣିବା ପରେ ଜିଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟନୁଷ୍ଠାନ ସ୍ବରୂପ ଏଏସ୍‌ଆଇ ଓ ଦୁଇ କନ୍‌ଷ୍ଟେବଲଙ୍କୁ ଏହି ବଦଳି ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରାଙ୍କୁ ପଚାରିବାରୁ ବଦଳି ଆଦେଶ ହୋଇଥିବା ସ୍ପଷ୍ଟ କରିଛନ୍ତି।