୧୨ ଜଣଙ୍କ ନାଁରେ ମାମଲା: କର୍ନାଟକ, ନାୟକାଣିଡିହୀ ପୋଲିସକୁ ଦୁର୍ବ୍ୟବହାର ଘଟଣା

ବାସୁଦେବପୁର, ୩।୭ (ନାରାୟଣ ପ୍ରସାଦ ବାରିକ୍‌)-କର୍ନାଟକରୁ ସୁନା ଅଳଙ୍କାର ଓ ଟଙ୍କା ଚୋରି ଅଭିଯୋଗରେ ବାସୁଦେବପୁର ବ୍ଲକ ନାୟକାଣିଡିହୀ ଥାନା ଅଧୀନ ବିରସ ଗ୍ରାମର ଜଣେ ଯୁବକଙ୍କୁ ଗତ ଜୁନ୍‌ ୨୯ରେ ପୋଲିସ ଗିରଫ କରିଥିଲା। ୩୦ ତାରିଖରେ ଅଭିଯୁକ୍ତଙ୍କୁ ବାସୁଦେବପୁର କୋର୍ଟରେ ହାଜର କରିବା ବେଳେ ପୋଲିସ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହି ଘଟଣାରେ ବାସୁଦେବପୁର ଥାନାରେ ୧୨ଜଣ ବ୍ୟକ୍ତିଙ୍କ ନାମରେ ମାମଲା (ନଂ. ୩୭୬/୨୩) ରୁଜୁ ହୋଇଛି।
ପ୍ରକାଶ ଯେ, ଉକ୍ତ ଗ୍ରାମର ପ୍ରଶାନ୍ତ ମହାନ୍ତି କର୍ନାଟକର ହୁଲିଆଦୁର୍ଗ ଥାନା ଅଧୀନ ତମକୁରା ଅଞ୍ଚଳର ନାଗେଶ ଡିଏଲ୍‌ଙ୍କ କୁକୁଡ଼ା ଫାର୍ମରେ କାମ କରୁଥିଲେ। ତାଙ୍କ ଘରୁ ସୁନା ଅଳଙ୍କାର ଓ ଟଙ୍କା ଚୋରି କରି ସେ ନିଜ ଗଁାକୁ ପଳାଇ ଆସିଥିଲେ। ଏନେଇ ହୁଲିଆଦୁର୍ଗ ଥାନାରେ ମାମଲା (ନଂ.୧୧୨/୨୩) ରୁଜୁ ହୋଇଥିଲା। କର୍ନାଟକ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ନାୟକାଣିଡିହୀ ପୋଲିସ ସହାୟତାରେ ଗିରଫ କରି କୋର୍ଟକୁ ନେଉଥିବା ବେଳେ ଉକ୍ତ ଗ୍ରାମର କେତେଜଣ ବ୍ୟକ୍ତି କୋର୍ଟ ପାଖରେ ଗାଡ଼ି ଅଟକାଇବା ସହ ପୋଲିସକୁ ଗାଳିଗୁଲଜ କରିଥିଲେ। ଏନେଇ ନାୟକାଣିଡିହୀ ଥାନା ହାବିଲଦାର ପ୍ରମୋଦ ଦାସଙ୍କ ଅଭିଯୋଗକ୍ରମେ ବାସୁଦେବପୁର ଥାନାରେ ମାମଲା ରୁଜୁ ସହ ଅଧିକ ତଦନ୍ତ କରାଯାଉଥିବା ଭଦ୍ରକ ସଦର ଏସ୍‌ଡିପିଓ ସୌରଭ ଓତା କହିଛନ୍ତି। ଅପରପକ୍ଷେ ବିରସ ଗ୍ରାମର କେତେଜଣ ବ୍ୟକ୍ତି ନାମ ଗୋପନ ରଖି କହିଛନ୍ତି ଯେ, ପୋଲିସ ଅଭିଯୁକ୍ତ ପ୍ରଶାନ୍ତଙ୍କ ସହ ଅନ୍ୟ ୨ ଯୁବକଙ୍କୁ ଗାଡ଼ିରେ ବସାଇ ନେଇଥିଲା। ୨ ଯୁବକଙ୍କୁ ଛାଡ଼ିଦେବା ପାଇଁ ଗ୍ରାମବାସୀ କହିବା ପରେ ପୋଲିସ ନ ଛାଡ଼ିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ପୋଲିସ ୨ ଯୁବକଙ୍କୁ ଛାଡ଼ି ଦେଇଥିଲା।