କ୍ୟାରିୟର-କ୍ୟାରେକ୍ଟର

ବର୍ତ୍ତମାନ କ୍ୟାରିୟର ତିଆରି ଚାଲିଛି, କ୍ୟାରେକ୍ଟର ତିଆରି ହେଉନାହିଁ। ମାଆବାପା ନିଜ ପିଲାଙ୍କ ପୋଥିଗତ ପାଠ ଉପରେ ଯେତିକି ଗୁରୁତ୍ୱ ଦେଇଥାନ୍ତି, ପିଲାଙ୍କ କ୍ୟାରିୟର ଗଠନ ଦିଗରେ ଯେତିକି ଧ୍ୟାନ ରଖନ୍ତି, ସେତିକି ଗୁରୁତ୍ୱ ଦେଇ ନ ଥାନ୍ତି ସେମାନଙ୍କ କ୍ୟାରେକ୍ଟର ନିର୍ମାଣ ଦିଗରେ। ତେବେ ପିଲାଙ୍କ କ୍ୟାରେକ୍ଟର କେମିତି ସୁନ୍ଦର ହେବ? ଖାଲି ପାଠ ଆଉ ପାଠ। ମାଆବାପା ସବୁବେଳେ ପିଲାଙ୍କ ସେଇ ପାଠ ଉପରେ ନଜର ରଖନ୍ତି, ଅଥଚ ନିଜ ପିଲାଙ୍କ ଚରିତ୍ର ନିର୍ମାଣକୁ ପୂରାପୂରି ଅଣଦେଖା କରିଥାନ୍ତି। ଛୋଟ ବେଳୁ ଅନେକ ପିଲା ସେମାନଙ୍କ ମାଆବାପାଙ୍କ ପୂରା ନଜରରେ ରହିଥାନ୍ତି। ସକାଳୁ ଶେଯ ତ୍ୟାଗ ପରଠୁ ରାତିକୁ ପୁଣି ଶେଯକୁ ଯିବା ପର୍ଯ୍ୟନ୍ତ ତମାମ ଦିନଚର୍ଯ୍ୟା ପାଇଁ ପିଲାଙ୍କ ଆଗେ ଖାଲି ପାଠର ଖସଡ଼ା ଥୋଇ ଦିଆଯାଇଥାଏ। ଖେଳାବୁଲା କରିବା, ସାଙ୍ଗସାଥୀଙ୍କ ସହ ମିଶି କିଛି ସମୟ ବିତାଇବା ପିଲାଙ୍କ ରୁଟିନ୍‌ଗତ ବ୍ୟାପାର ଭିତରେ କେବେ ରହି ନ ଥାଏ।
ଏପରିକି ପାଠପଢୁଆ ପିଲା ଟିଉଶନକୁ, ସ୍କୁଲକୁ ଚାଲିକି ଯାଆନ୍ତି ନାହିଁ। ପିଲାଙ୍କୁ ନେବାଆଣିବା କରାଯାଏ ବାଇକ୍‌ରେ, ସ୍କୁଟିରେ। ପୁଣି ସ୍କୁଲକୁ କେତେଜଣ ପିଲା ଯାଆନ୍ତି ଟେମ୍ପୁରେ ନ ହେଲେ ସ୍କୁଲବସ୍‌ରେ। ପିଲାଏ ପାଖ ଟିଉଶନ ବା ସ୍କୁଲକୁ ଚାଲିକି ଗଲେ ତାହା ହୁଏତ ପିଲାଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ମନେହୁଅନ୍ତା। ପୁଣି ଚାଲିକି ଗଲାବେଳେ ପିଲା ପରସ୍ପର ସହ ଭଲ ଭାବେ ମିଶିବାର ସୁଯୋଗ ବି ପାଆନ୍ତେ। ମନ ଖୋଲି କଥା ହୋଇ ହସିବାର ସୁଯୋଗରେ ମନଫୁର୍ତ୍ତି କରିପାରନ୍ତେ। ସେସବୁ ସୁଯୋଗ ଏବର ପିଲାଙ୍କ ପାଇଁ ସାତସପନ ପାଲଟେ ପିଲାଙ୍କ ନିଃସଙ୍ଗ ସ୍କୁଲଯାତ୍ରା ପାଇଁ।
ଆଜିକାଲି ପାଠ ପଢ଼ୁଥିବା ପିଲାଙ୍କ ପାଇଁ ଅଭିଭାବକ ଗୋଟିଏ ଲକ୍ଷ୍ୟ ନିର୍ଦ୍ଧାରଣକରି ଦେଇଥାନ୍ତି ସବୁ ପରୀକ୍ଷାରେ ସଂଖ୍ୟା ଆଧାରିତ ଅଧିକ ମାର୍କ ଆଣିବା ବା ପ୍ରାପ୍ତ କରିବା। ପିଲାଙ୍କ ସଫଳତା ତଉଲାଯାଏ ମାର୍କ ପରସେଣ୍ଟେଜ୍‌ରେ। ନାମୀଦାମୀ ପ୍ରାଇଭେଟ୍‌ ସ୍କୁଲରେ ପିଲାଙ୍କ ପାଠପାଢ଼ ପାଇଁ ପ୍ରଚୁର ଅର୍ଥ ବ୍ୟୟ କରୁଥିବାରୁ ଅନେକ ଅଭିଭାବକ ଚାହାନ୍ତି ତାଙ୍କ ପିଲା ଶତକଡ଼ା ଶହେକୁ ଶହେ ପାଉ। ୯୯% ପାଇଲେ ବି କିଛି ଅଭିଭାବକ ଅସହଜବୋଧ ମନେକରନ୍ତି। ଅଭିଭାବକ ଚାହାନ୍ତି ଯୁକ୍ତ ୨ ବିଜ୍ଞାନ ପରେ ପିଲା ଏନ୍‌ଇଇଟି ପାଉ। ଡାକ୍ତର ହେଉ। ଆଉ କେତେଜଣ ଅଭିଭାବକ ଚାହାନ୍ତି ତାଙ୍କ ପିଲା ଇଞ୍ଜିନିୟର ହେଉ, ଆଇଏଏସ୍‌ ପାଉ, ବଡ଼ ଅଫିସର ହେଉ। ପିଲାଙ୍କ ଭଲ କ୍ୟାରିୟର ପାଇଁ ଚିନ୍ତା କରିବା ଅଭିଭାବକଙ୍କ ଅପରାଧ ନୁହେଁ। ବରଂ ତହିଁରେ ଅଭିଭାବକଙ୍କ ଦାୟିତ୍ୱବୋଧ ନିହିତ ଥାଏ। ପିଲାଙ୍କ କ୍ୟାରିୟର ଭଲ ହେଉ, ଭଲ ହେବା ଦରକାର। ହେଲେ ପିଲାଙ୍କ କ୍ୟାରିୟର ସହ କ୍ୟାରେକ୍ଟର ତିଆରି ହେବା ଆହୁରି ଭଲ କଥା।
ଆଜିକାଲିର ପିଲାମାନେ କ୍ୱାଲିଫାଏଡ୍‌ ହେବା ସହ ଏଜୁକେଟେଡ୍‌ ହେବା ଆମ ଦେଶଦଶ ପାଇଁ ଅତ୍ୟନ୍ତ ମଙ୍ଗଳକର। ଅର୍ଥାତ୍‌ ପିଲାଏ ଶିକ୍ଷିତ ହେବା ସହ ଉତ୍ତମ ସଂସ୍କାରୀ ହେବା ଜରୁରୀ। ଆମେ ଜାଣିଛେ ଶିକ୍ଷା ଆଲୋକ ସଦୃଶ। ଶିକ୍ଷା ଜୀବନ ଗଢ଼େ। ଜୀବନ ଯୋଡ଼େ। ହେଲେ ଉଚ୍ଚ ଶିକ୍ଷିତ ଆଜି ଗାଆଁ ମାଆ ଛାଡ଼ୁଛନ୍ତି, ଦେଶ ଛାଡ଼ିବା ଦେଖାଯାଉଛି। ଆଉ ବିଦେଶରୁ ଫେରୁନାହାନ୍ତି ଗାଆଁକୁ ଦେଶକୁ। ଏଠି ପଢ଼ିଲେ ବଢ଼ିଲେ, ବିଦେଶରେ କାମ କଲେ, ବିଦେଶରେ ସେବା ଦେଲେ। ସେଇ ସ୍ଥିତିରେ ତାଙ୍କଠୁ ଦେଶ କିଛି ପାଏନାହିଁ। ତେବେ ଜଣେ ଶିକ୍ଷିତ ହୁଏ ଉପଯୁକ୍ତ ଶିକ୍ଷା ପାଇ। ଶିକ୍ଷା ସହ ଦୀକ୍ଷା ବି ରହିବା ଭଲ। ପେସା ସହ ନିଶା ରହିଲେ ଅଥବା ପେସାକୁ ନିଶା ମନେକଲେ ପେସାର ମହତ୍ତ୍ୱ ତଥା ଗୁରୁତ୍ୱ ରହିଥାଏ ସବୁକାଳେ ସବୁ ସମୟରେ। ଆଜିକାଲି ପେସା ନିଶା ହୋଇପାରୁ ନ ଥିବାରୁ କର୍ମଦକ୍ଷତା ରହୁନାହିଁ। କର୍ମ ବା ଜୀବିକା କେବଳ ପେଟପୋଷା ପେସାରେ ସୀମିତ ରହିଯାଉଛି। କର୍ମସଂସ୍କୃତି ଉଧେଇପାରୁ ନାହିଁ ପେସା ନିଶା ହେଉ ନ ଥିବାରୁ। ଉପଯୁକ୍ତ ଶିକ୍ଷିତ କେବଳ ପେସାକୁ ନିଶା କରିପାରନ୍ତି। ସଂସ୍କାରୀ ଶିକ୍ଷିତ ହିଁ ଠିକ୍‌ ମଣିଷ। ସଂସ୍କାରୀ ଶିକ୍ଷିତ କେବେ ଅମଣିଷ ହୋଇପାରେନାହିଁ। ଅଶିକ୍ଷିତ ଅମଣିଷ ହୋଇପାରେ। ସଂସ୍କାରୀ ଶିକ୍ଷିତ ଭଲ ମଣିଷ। ଉଚ୍ଚ ପଦପଦବୀପ୍ରାପ୍ତ ଶିକ୍ଷିତ ଦେଶଦଶମନସ୍କ ହେବା ଚାହୁଁ। ଏହା ସମ୍ଭବ କ୍ୟାରିୟର ସହ କ୍ୟାରେକ୍ଟର ଯୋଡ଼ି ହୋଇରହିଲେ, ଯୋଡ଼ିହୋଇ ରହିଥିଲେ। ଶିକ୍ଷା ସହ ସଂସ୍କାର ଥିଲେ କ୍ୟାରେକ୍ଟର ବା ଚରିତ୍ର ଥାଏ। କାହାର ଚରିତ୍ର ଖାଲି ଆଖିକୁ ଦେଖାଯାଏନି। ଚରିତ୍ରର ଠିକ୍‌ ପ୍ରତିଫଳନ ଘଟେ ଭଲ କଥାରେ, ଭଲ କାମରେ, ଭଲ ବ୍ୟବହାରରେ, ବ୍ୟକ୍ତିର ଠିକ୍‌ ଚାଲିଚଳନରେ। ବିଭିନ୍ନ ଶିକ୍ଷା ସାର୍ଟିଫିକେଟ କେବଳ ଶିକ୍ଷାଗତ ଯୋଗ୍ୟତାକୁ ଦର୍ଶାଏ। ସେଇ ସାର୍ଟିଫିକେଟ କ୍ୟାରିୟର ତିଆରି କରେ, କ୍ୟାରେକ୍ଟର ତିଆରି କରିପାରେନାହିଁ। ତେବେ ସାର୍ଟିଫିକେଟ୍‌ ଆଧାରିତ କ୍ୟାରିୟର,ବିନା କ୍ୟାରେକ୍ଟରରେ ମୂଲ୍ୟହୀନ ସାବ୍ୟସ୍ତ ହେବାରେ ବିଚିତ୍ରତା ରହି ନ ପାରେ। ଦେଶର ଉଚ୍ଚ ପ୍ରଶାସନିକ ପଦବୀ ଆଇଏଏସ୍‌ ଅଧିକାରୀ ଦୁର୍ନୀତି କରି ଚାକିରିରୁ ବରଖାସ୍ତ ହୋଇଥିବାର ନଜିର ବି ରହିଛି। ଆଇଏଏସ୍‌ ଅଧିକାରୀ ଦୁର୍ନୀତି କରିବା ଅର୍ଥ ସେ ଠିକ୍‌ ଅର୍ଥରେ ଶିକ୍ଷିତ ନ ଥାନ୍ତି, ସଂସ୍କାରୀ ନ ଥାନ୍ତି, ଉତ୍ତମ ଚରିତ୍ରର ନ ଥାନ୍ତି। ଯେଉଁମାନେ ନୀତିଭ୍ରଷ୍ଟ ଥାନ୍ତି, ସେଇମାନେ ଯଥାର୍ଥରେ ଶିକ୍ଷିତ ନ ଥାନ୍ତି।
ଆସନ୍ତୁ, ପିଲାଙ୍କ ଭଲ କ୍ୟାରିୟର ଗଢ଼ିବା ସହ କ୍ୟାରେକ୍ଟର ତିଆରି ଦିଗ ପ୍ରତି ଅଧିକ ଧ୍ୟାନଦେବା; ସତର୍କ, ସଚେତନ ରହିବା। ପିଲାଙ୍କୁ ଯଥାର୍ଥ ଶିକ୍ଷିତ, ଉପଯୁକ୍ତ ସଂସ୍କାରୀ, ଉତ୍ତମ ଚରିତ୍ରବାନ୍‌ ତିଆରି କରିବା, ସର୍ବୋପରି ଭଲ ମଣିଷ ତିଆରି କରିବା। ସବୁ କାଳରେ ସେଇ ଭଲ ମଣିଷଙ୍କ ଆବଶ୍ୟକତା ଥାଏ, ଥିଲା, ଅଛି, ରହିଛି, ଆଗକୁ ରହିବ ମଧ୍ୟ।

ଧ୍ରୁବ ଚରଣ ଘିବେଲା
ବଉଦରାଜ, ବୌଦ୍ଧ
ମୋ: ୯୪୩୭୪୭୮୪୬୬

Dharitri – Odisha’s No.1, Most Trusted Odia Daily