ଅଙ୍ଗାରକ-ନିରପେକ୍ଷ ପଞ୍ଚାୟତ

ଭାରତବର୍ଷରେ ଗ୍ରାମାଞ୍ଚଳର ବିକାଶମୂଳକ କାର୍ଯ୍ୟ ସମ୍ପାଦନକାରୀ ସ୍ଥାନୀୟ ପ୍ରଶାସନିକ ବ୍ୟବସ୍ଥାକୁ ‘ପଞ୍ଚାୟତିରାଜ’ର ଆଖ୍ୟା ପ୍ରଦାନ କରାଯାଇଛି। ଏହା ଲୋକମାନଙ୍କ ପଞ୍ଚାୟତ ସ୍ତରରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ ହେବାର କ୍ଷମତା ଏବଂ ଗଣତାନ୍ତ୍ରିକ ପଦ୍ଧତିରେ ଅଂଶଗ୍ରହଣ କରିବାର ସୁଯୋଗ ଅର୍ପଣକରେ। ଏହି ବ୍ୟବସ୍ଥା ଉପରେ ଗ୍ରାମାଞ୍ଚଳର ଆର୍ଥିକ ବିକାଶ ସାଧନ, ସାମାଜିକ ନ୍ୟାୟକୁ ସୁଦୃଢ଼ କରିବା ଏବଂ ସମ୍ବିଧାନର ଏକାଦଶ ଅନୁସୂଚ଼ୀରେ ତାଲିକାଭୁକ୍ତ ଥିବା ୨୯ଟି ବିଷୟ ସମେତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକର କାର୍ଯ୍ୟାନ୍ବୟନ ନିମନ୍ତେ ଦାୟିତ୍ୱନ୍ୟସ୍ତ ରହିଛି। ତେବେ ସାମ୍ପ୍ରତିକ ପରିବର୍ତ୍ତିତ ପରିସ୍ଥିତିରେ ଗ୍ରାମ୍ୟ ସ୍ତରୀୟ ଏହି ପ୍ରଶାସନିକ ସଂସ୍ଥାର ଅନ୍ୟ ଯେଉଁ ଗୁରୁଦାୟିତ୍ୱ ବହନ କରିବା ଅପରିହାର୍ଯ୍ୟ ବୋଧହୁଏ, ତାହା ହେଉଛି କ୍ରମବର୍ଦ୍ଧିଷ୍ଣୁ ପରିବେଶଜନିତ ସମସ୍ୟା ସବୁର ସମାଧାନ ଦିଗରେ ପର୍ଯ୍ୟାପ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବା। ବୈଶ୍ୱିକତାପନ ଏବଂ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ସମସ୍ୟା ଏବଂ ତଜ୍ଜନିତ ବର୍ଦ୍ଧିତ ପ୍ରାକୃତିକ ବିପର୍ଯ୍ୟୟ ସବୁର ପ୍ରଳୟଙ୍କରୀ ପରିଣାମ ପରିପ୍ରେକ୍ଷୀରେ ଏସବୁ ପ୍ରମୁଖ କାରକର ମୂଳୋତ୍ପାଟନ ନିମନ୍ତେ ପ୍ରତ୍ୟେକ ସ୍ତରରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ଅତ୍ୟନ୍ତ ଜରୁରୀ। ସାମ୍ପ୍ରତିକ ସମୟରେ କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପପରି ଜୀବାଶ୍ମ ଇନ୍ଧନର ଦହନରୁ ନିର୍ଗତ ଅଙ୍ଗାରକାମ୍ଳ ଏବଂ ଅନ୍ୟ ସବୁଜ ଗୃହ ବାଷ୍ପ ସବୁର ବାୟୁମଣ୍ଡଳକୁ ନିର୍ଗମନରେ ସର୍ବାଧିକ ହ୍ରାସ ଘଟାଇବା ଏକାନ୍ତ ପ୍ରୟୋଜନୀୟ। ସହରାଞ୍ଚଳମାନଙ୍କରେ ଅଙ୍ଗାରକ ହ୍ରାସନକୁ ତ୍ୱରାନ୍ବିତ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ଏ ଦିଗରେ ପ୍ରଯୁଜ୍ୟ କାର୍ଯ୍ୟକ୍ରମ ଗ୍ରହଣକୁ ଉତ୍ସାହିତ କରାଯିବା ସମୟର ଆବଶ୍ୟକତା। ଏହା ସାମଗ୍ରିକ ଭାବେ ଜଳବାୟୁ ପରିବର୍ତ୍ତନର ନିୟନ୍ତ୍ରଣ ଦିଗରେ ମାନବଜାତିର ଏକ ସମ୍ମିଳିତ ପ୍ରୟାସର ପରିଚ଼ୟ ପ୍ରଦାନ କରିବ।
ଅଙ୍ଗାରକ ସମଗ୍ର ଜୀବଜଗତର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇଥିଲାବେଳେ ବାୟୁମଣ୍ଡଳରେ ମୁକ୍ତ ଅଙ୍ଗାରକାମ୍ଳ ଭାବରେ ଏହାର ପରିମାଣ ହେଉଛି ଯଥେଷ୍ଟ ନୂ୍ୟନ (ମାତ୍ର ୦.୦୪ଶତାଂଶ)। ସମୁଦ୍ର, ମୃତ୍ତିକା, ଜଙ୍ଗଲ ଏବଂ ଆର୍ଦ୍ରଭୂମି ପରି ଅଙ୍ଗାରକ ଭଣ୍ଡାରଗୁଡ଼ିକ (କାର୍ବନସିଙ୍କ) ସାଧାରଣ ଭାବେ ପ୍ରାୟ ୫୮% ଉତ୍ସର୍ଜିତ ଅଙ୍ଗାରକାମ୍ଳକୁ ଶୋଷଣକରି ସେମାନଙ୍କ ମଧ୍ୟରେ ଗଚ୍ଛିତ କରିରଖନ୍ତି। କିନ୍ତୁ ବୃଦ୍ଧିପ୍ରାପ୍ତ ହେଉଥିବା ଶକ୍ତି ଆବଶ୍ୟକତାର ପୂରଣ ନିମନ୍ତେ ବ୍ୟବହୃତ ଅତ୍ୟଧିକ ଜୀବାଶ୍ମ ଇନ୍ଧନରୁ ନିର୍ଗତ ବର୍ଦ୍ଧିତ ମାତ୍ରାର ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ଏକ ଅଙ୍ଗାରକ-ଯୁକ୍ତ (କାର୍ବନପଜିଟିଭ) ପରିବେଶ ସୃଷ୍ଟି କରୁଛି, ଯାହା ହିଁ ତାପମାତ୍ରା ବୃଦ୍ଧିର ମୁଖ୍ୟକାରକ ସାଜିଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ପଦ୍ଧତିରେ ଅଙ୍ଗାରକାମ୍ଳ ପରିମାଣରେ ହ୍ରାସ ଘଟାଇ ଏକ ଅଙ୍ଗାରକ-ନିରପେକ୍ଷ (କାର୍ବନନ୍ୟୁଟ୍ରାଲ) ପରିବେଶର ସ୍ଥାପନ କରିବା ସମ୍ପ୍ରତି ଆମ ସମ୍ମୁଖରେ ଏକ ମୁଖ୍ୟ ଆହ୍ବାନ ରୂପେ ଦଣ୍ଡାୟମାନ ହୋଇଛି। ଭାରତର ପ୍ରାଣକେନ୍ଦ୍ର ରୂପେ ଆଖ୍ୟାୟିତ ଗ୍ରାମାଞ୍ଚଳରେ ପଞ୍ଚାୟତ ବ୍ୟବସ୍ଥା ମାଧ୍ୟମରେ ଅଙ୍ଗାରକାମ୍ଳ ନିର୍ଗମନର ନିୟନ୍ତ୍ରଣ ଏବଂ ଏହାର ଶୋଷଣ/ଅପସାରଣ (ଅଫସେଟ୍‌) ଦିଗରେ ସଚ଼େତନତା ବୃଦ୍ଧି ଏବଂ ଯଥୋଚ଼ିତ ପଦକ୍ଷେପ ଗ୍ରହଣ ଅଙ୍ଗାରକ ସନ୍ତୁଳନ ହାସଲ କ୍ଷେତ୍ରକୁ ଏକ ସମୟୋପଯୋଗୀ ଅବଦାନ ହେବ। ଆମ ଅଙ୍ଗାରକ ପଦଚିହ୍ନ (ନକାରାତ୍ମକ ପ୍ରଭାବ)କୁ ଶୂନ୍ୟ ସ୍ତରକୁ ହ୍ରାସ କରି ଅଙ୍ଗାରକ ନିରପେକ୍ଷତା ସ୍ଥାପନ କରିବା ହେଉଛି ବ୍ୟକ୍ତି, ଅନୁଷ୍ଠାନ ଏବଂ ସରକାର, ସମସ୍ତଙ୍କ ନିମନ୍ତେ ଏକ ନୈତିକ ଦାୟିତ୍ୱ ନିର୍ବାହନର ପ୍ରସଙ୍ଗ। ଉଲ୍ଲେଖଯୋଗ୍ୟ ଯେ ଜମ୍ମୁ ଅଧୀନ ସାମ୍ବା ଜିଲାର ପାଲିଗ୍ରାମ ଭାରତର ପ୍ରଥମ ଅଙ୍ଗାରକ-ନିରପେକ୍ଷ ପଞ୍ଚାୟତ ହେବାର ମାଇଲଖୁଣ୍ଟ ହାସଲ କରିଛି, ଯେଉଁଠି ପ୍ରଧାନମନ୍ତ୍ରୀ ମୋଦି ୨୦୨୨ ଏପ୍ରିଲରେ ୫୦୦ କିଲୋୱାଟ ଏକ ସୌରପ୍ଲାଣ୍ଟ ଉଦ୍‌ଘାଟନ କରିଥିଲେ ।
ଗ୍ରାମପଞ୍ଚାୟତକୁ ଅଙ୍ଗାରକ-ନିରପେକ୍ଷ କରିବା ଲକ୍ଷ୍ୟରେ ସାଧାରଣତଃ ଗୃହୀତ ପଦକ୍ଷେପଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ଶକ୍ତିଦକ୍ଷତାର ବୃଦ୍ଧି। ବିଦ୍ୟୁତ୍‌ ଉତ୍ପାଦନ ପାଇଁ ସୌର ଏବଂ ପବନଶକ୍ତି ଭଳି ନବୀକରଣୀୟ/ଅକ୍ଷୟ ଶକ୍ତି ଉତ୍ସର ବ୍ୟବହାରକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ । ଏହି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା, ଏକକ କୃଷକ, କୃଷକ ଗୋଷ୍ଠୀ, ସମବାୟ ସମିତି, ପଞ୍ଚାୟତ ଇତ୍ୟାଦିଙ୍କ ନିମନ୍ତେ ପ୍ରଯୁଜ୍ୟ ପ୍ରଧାନମନ୍ତ୍ରୀ କୁସୁମ ଯୋଜନା, ଗ୍ରୀଡିଂ ଯୁକ୍ତ ଛାତ ଉପର ସୌର କାର୍ଯ୍ୟକ୍ରମ ରିହାତି, ଶକ୍ତି ବ୍ୟବହାର ହ୍ରାସ କରିବା ଲକ୍ଷ୍ୟରେ ଆଲୋକୀକରଣ ନିମନ୍ତେ ଏଲଇଡି ବଲ୍‌ବର ଉପଯୋଗ, ଉଷ୍ମତା ବୃଦ୍ଧି-ଶୀତଳୀକରଣ ବ୍ୟବସ୍ଥାରେ ଉନ୍ନତି ସାଧନ ଏବଂ ଘରୋଇ, ଗୋଷ୍ଠୀକେନ୍ଦ୍ର ଏବଂ ବ୍ୟବସାୟିକ ସ୍ଥଳୀରେ ବିଭିନ୍ନଶକ୍ତି-ଦକ୍ଷ ଯନ୍ତ୍ରପାତି ବା ଉପକରଣର ବ୍ୟବହାରକୁ ଉତ୍ସାହିତ କରାଯିବା ପ୍ରୟୋଜନୀୟ। ଭାରତର ପ୍ରଥମ ସୌରଚାଳିତ ଗ୍ରାମ ରୂପେ ଖ୍ୟାତ ଗୁଜରାଟର ମୋଧେରା ଗ୍ରାମସବୁ ଶକ୍ତିର ବ୍ୟବହାର, ନିରନ୍ତର ବିକାଶ ଏବଂ ଆତ୍ମ ନିର୍ଭରଶୀଳତାକୁ ପ୍ରଦର୍ଶନ କରେ, ଯାହାକୁ ଜାତିସଂଘର ସେକ୍ରେଟାରି ଜେନେରାଲ ଆଣ୍ଟୋନିଓ ଗୁଟେରସ ଅକ୍ଟୋବର ୨୦୨୨ରେ ପରିଦର୍ଶନ କରିଥିଲେ। ପେଟ୍ରୋଲ, ଡିଜେଲ (ଜୀବାଶ୍ମ ଇନ୍ଧନ) ଚାଳିତ ଯାନ ଉପରେ ନିର୍ଭରଶୀଳତାକୁ ହ୍ରାସ କରି ସ୍ଥାନୀୟ ଅଞ୍ଚଳରେ ଯାତାୟାତ ନିମନ୍ତେ ବୈଦ୍ୟୁତିକଯାନ (ଇଭି) କିମ୍ବା ସାଇକେଲର ବ୍ୟବହାରକୁ ପ୍ରୋତ୍ସାହିତ କରିବା ବାଞ୍ଛନୀୟ । ସାର୍ବଜନୀନ ପରିବହନରେ ଉନ୍ନତି ଆଣି ଏହାକୁ ଅଧିକ ଗ୍ରହଣୀୟ କରିବାର ପ୍ରୟାସ ହେବା ଆବଶ୍ୟକ। ବର୍ଜ୍ୟ ପଦାର୍ଥ ଦ୍ୱାରା ସୃଷ୍ଟ ପ୍ରଦୂଷଣ ହ୍ରାସ କରିବା ନିମନ୍ତେ ଏକ ଶୂନ୍ୟ-ବର୍ଜ୍ୟନୀତି, ଜୈବିକ ବର୍ଜ୍ୟରୁ କମ୍ପୋଷ୍ଟ ଖତ ଓ ଗୋବର ଗ୍ୟାସ୍‌ ପ୍ରସ୍ତୁତି, ଅଜୈବିକ ବର୍ଜ୍ୟର ପୁନଃଚକ୍ରଣ କିମ୍ବା ବର୍ଜ୍ୟରୁ ଶକ୍ତି ଉତ୍ପନ୍ନ ପ୍ରଣାଳୀ କାର୍ଯ୍ୟକାରୀ କରାଯିବା ଜରୁରୀ। ଅନ୍ୟପକ୍ଷରେ, ସହନୀୟ କୃଷି ପଦ୍ଧତିର ଅବଲମ୍ବନରେ ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ଏବଂ ସବୁଜ ଗୃହ ଗ୍ୟାସ ନିର୍ଗତ କରୁଥିବା ତଥା କୃଷିକ୍ଷେତ୍ରରେ କ୍ଷତି ଘଟାଉଥିବା ରାସାୟନିକ ସାର ଏବଂ କୀଟନାଶକର ବ୍ୟବହାରକୁ ହ୍ରାସ କରାଯିବା ଆବଶ୍ୟକ । ମୃତ୍ତିକାକୁ ସମୃଦ୍ଧ କରିବା ଏବଂ ଅଙ୍ଗାରକ ଅପସାରଣ ପାଇଁ କୃଷି-ବନୀକରଣକୁ ଉତ୍ସାହିତ ତଥା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳର ଶୋଷଣ ନିମନ୍ତେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପ୍ରୟୋଜନୀୟ। ଗ୍ରାମାଞ୍ଚଳର ଆର୍ଦ୍ରଭୂମି ଏବଂ ତୋଟା ସମେତ ଅଙ୍ଗାରକ ଭଣ୍ଡାର ଭାବେ କାର୍ଯ୍ୟ କରୁଥିବା ନିକଟସ୍ଥ ଜଙ୍ଗଲ ଏବଂ ଅନ୍ୟ ପ୍ରାକୃତିକ ପରିସଂସ୍ଥାର ରକ୍ଷଣାବେକ୍ଷଣ ତଥା ସୁରକ୍ଷା ଉପରେ ଧ୍ୟାନ ପ୍ରଦାନ ଜରୁରୀ। ଜଳବାୟୁ ପରିବର୍ତ୍ତନ ଏବଂ ଅଙ୍ଗାରକ ପଦଚିହ୍ନ ହ୍ରାସ କରାଯିବାର ଗୁରୁତ୍ୱ ସମ୍ପର୍କରେ ସମ୍ପ୍ରଦାୟ ମଧ୍ୟରେ ସଚେତନତା ବୃଦ୍ଧି ଅଭିଯାନ ତଥା ବିଦ୍ୟାଳୟ ସ୍ତରରେ ପରିବେଶ ଶିକ୍ଷାକୁ ସାର୍ବଜନୀନ କରିବା ହେଉଛି ଅନ୍ୟ ଏକ ଦିଗ। ସବୁଜଶକ୍ତି ପ୍ରକଳ୍ପରେ ନିବେଶ କରିବା କିମ୍ବା ନିର୍ଗମନ ହ୍ରାସ ନିମନ୍ତେ କାର୍ଯ୍ୟକାରୀ ପ୍ରକଳ୍ପରୁ କାର୍ବନ୍କ୍ରେଡିଟ୍କିଣିବା ଭଳି କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତର ଯୋଗଦାନ ଏକ ପ୍ରଶଂସନୀୟ ପଦକ୍ଷେପ ହେବ, ଯାହା କିଛିମାତ୍ରାର ସବୁଜ ନିଯୁକ୍ତି ସୃଷ୍ଟିରେ ମଧ୍ୟ ସହାୟତା କରିବ । ପରିଣାମସ୍ବରୂପ ଏଠାରୁ ନିର୍ଗମନ ଏବଂ ଅପସାରଣ ହେଉଥିବା ଅଙ୍ଗାରକାମ୍ଳ ମଧ୍ୟରେ ସନ୍ତୁଳନ ସ୍ଥାପିତ ହୋଇ ଅଙ୍ଗାରକ-ନିରପେକ୍ଷତା ହାସଲ ସମ୍ଭବପର ହେବ ।
ଏପରି ପଦକ୍ଷେପ ଗ୍ରହଣ ଏକ ପ୍ରଦୂଷଣମୁକ୍ତ, ଅଙ୍ଗାରକ-ନିରପେକ୍ଷ ପରିବେଶ ସ୍ଥାପନକରି ଜଳବାୟୁ ପରିବର୍ତ୍ତନ ଦୃଶ୍ୟପଟ୍ଟରେ ଗ୍ରାମ ପଞ୍ଚାୟତକୁ ମାନବ ବସତିର ଏକ ସୁରକ୍ଷିତ, ଆଦର୍ଶ ସ୍ଥାନରେ ରୂପାନ୍ତରିତ କରିବ । ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୧.୫ଡିଗ୍ରୀ ସେଲ୍‌ସିୟସ ସୀମିତ ରଖିବାର ପ୍ୟାରିସ ଚୁକ୍ତିନାମା (୨୦୧୫) ସାଧନରେ ଏହା ମଧ୍ୟ ନିଜସ୍ବ ଅବଦାନ ରଖିବ। ପଞ୍ଚାୟତ ସ୍ତରରେ ବହୁ ସକାରାତ୍ମକ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ସମଗ୍ର ରାଷ୍ଟ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା କେରଳ ଏବଂ ମଧ୍ୟପ୍ରଦେଶ ପରି ରାଜ୍ୟର କାର୍ଯ୍ୟକ୍ରମରୁ ଅନ୍ୟମାନେ ପ୍ରେରଣା ହାସଲ କରାଯାଇପାରେ।
କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି
ମୋ: ୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri