ସମ୍ବଲପୁର,୨୪୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ବଜାର ଛକରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର(ନଂ.ଓଡି୧୫ଇ-୫୩୫୪) ଦ୍ରୁତଗତିରେ ଆସି ଅଇଁଠାପାଲି ଦୈନିକ ବଜାର ଛକ ରାସ୍ତା ପାର୍ଶ୍ୱସ୍ଥ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କାଦେଇ ରାସ୍ତାରେ ଛିଡ଼ା ହୋଇଥିବା ଏକାଧିକ ବାଇକ୍ ଏବଂ ସ୍କୁଟି ଉପରକୁ ମାଡ଼ି ଯାଇଥିଲା। ହେଲେ ଏତେ ବଡ଼ ଦୁର୍ଘଟଣା ସ୍ବତ୍ତ୍ୱେ ଗାଡି ଚାଳକ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଛନ୍ତି।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବିଦ୍ୟୁତ୍ ଖୁଣ୍ଟକୁ ଦେବା ପରେ କାର୍ ଇଞ୍ଜିନଟି ଛିଟିକି ରାସ୍ତାର ଅପରପାଶର୍ବରେ ପଡ଼ିଥିବା ଦେଖିବାକୁ ମିଳିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଚାଳକଙ୍କ ପରିଚୟ ମିଳି ନ ଥିଲେ ହେଁ ସେ ସହରର ଏକ ସ୍ବର୍ଣ୍ଣ ଅଳଙ୍କାର ଦୋକାନୀଙ୍କ ପୁଅ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷେ ଏଭଳି ଦୁର୍ଘଟଣା Car Racingର କରୁଣ ପରିଣତି ବୋଲି କେତେକ ପ୍ରତ୍ୟକ୍ଷଦର୍ଶୀ ମତ ପ୍ରକାଶ କରିଛନ୍ତି। ଖବର ପାଇ ଅଇଁଠାପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଦୁଇଟି କାର୍ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରି ଅଇଁଠାପାଲି ପଟେ ଅତି କ୍ଷିପ୍ରଗତିରେ ଆସୁଥିଲେ। ସେତିକିବେଳେ ଗୋଟିଏ କାର୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା। ସମ୍ଭବତଃ ଉଭୟ ଗାଡ଼ି ଚାଳକ ନିଶାଗ୍ରସ୍ତ ଥିବା କେତେକ ଲୋକେ ମତ ପ୍ରକାଶ କରିଛନ୍ତି।

