ମା’ଙ୍କୁ ହତ୍ୟା ପରେ ଟିକଟିକ୍‌ କରି ଖାଇ ଦେଲା ପୁଅ

ମାଡ୍ରିଡ୍‌,୨୨।୪ : ସ୍ପେନର ଜଣେ ବ୍ୟକ୍ତି ମା’ଙ୍କୁ ହତ୍ୟା କରିବା ପରେ ଟିକଟିକ୍‌ କରି କାଟି ଦେଇଥିଲେ। କେବଳ ଏତିକି ନୁହେଁ, ମୃତଦେହର ଟିକ ଟିକ ଅଂଶକୁ ନିଜେ ଖାଇବା ସହ ପୋଷା କୁକରକୁ ଖୁଆଇ ଦେଲେ। ଏହି ଅଭିଯୋଗରେ ୨୮ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ସ୍ପେନର ଏକ କୋର୍ଟରେ ଚାଲିଛି ମକଦ୍ଦମା। ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଆଲବର୍ଟ ସାଞ୍ଚେଜ ଗୋମଜଙ୍କୁ ୧୫ ବର୍ଷର ଜେଲ ଦଣ୍ଡ ହୋଇପାରେ। ତାଙ୍କୁ ୨୦୧୯ରେ ସ୍ଥାନୀୟ ପୋଲିସ ଗିରଫ କରିଥିଲା।

ମୃତ ମହିଳା ମାରିଆ ସୋଲେଡାଡ ଗୋମଜ (୬୮)ଙ୍କ ନିଖୋଜ ଅଭିଯୋଗ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ମୃତ ମହିଳାଙ୍କ ଜଣେ ବନ୍ଧୁ ପୋଲିସ ନିକଟରେ ଏହି ଅଭିଯୋଗ କରିଥିଲେ। ୨୦୧୯ ଫେବୃୟାରୀ ୨୧ରେ ମାରିଆଙ୍କ ଘରେ ପହଞ୍ଚିଥିଲା ପୋଲିସ। ଅଧିକାରୀ ମା’ଙ୍କ ସମ୍ପର୍କରେ ପଚାରିବାରୁ ମା’ଙ୍କୁ ଟିକ ଟିକ କରି ଖାଇ ଦେଇଥିବା କହିଥିଲେ ଅଭିଯୁକ୍ତ। ଆଉ ଫ୍ରିଜରୁ ମିଳିଥିଲା ମାରିଆଙ୍କ ଶରୀରର ଉପରଭାଗ। ତାଙ୍କ ହାଡ଼ ଡ୍ର’ରେ ରଖାଯାଇଥିଲା।

ସନ୍ଦେହ କରାଯାଉଛି, ୨୦୧୯ ଫେବୃୟାରୀରେ ଯୁକ୍ତିତର୍କ ପରେ ମା’ଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ। ଏହାପରେ ବେଡରୁମ୍‌କୁ ନେଇ ଖଟରେ ରଖି ଟିକ ଟିକ କରି କାଟି ଦେଇଥିଲେ ମା’ଙ୍କ ମୃତୁଦେହକୁ। ଏଥି ପାଇଁ ସେ ଆରି ଓ ଦୁଇଟି ଛୁରି ବ୍ୟବହାର କରିଥିଲେ। କିଛି ଅଂଶ ଖାଇବା ସହ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ଫ୍ରିଜ ଓ ଆପାର୍ଟମଣ୍ଟରେ ଫୋପାଡ଼ି ଦେଇଥିଲେ। ତେବେ ମା’ଙ୍କୁ ଆକ୍ରମଣ, ହତ୍ୟା, କାଟିବା ଓ ଖାଇବା ଅଭିଯୁକ୍ତଙ୍କ ମନେ ନାହିଁ।

Share