ବାଇକ୍‌ରେ ଗଞ୍ଜେଇ ନେଇ ଖସିଯିବାକୁ ବସିଥିଲେ, ବାନ୍ଧିନେଲା ପୋଲିସ

ବନ୍ତ,୪।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବ୍ଲକ ଛକଠାରେ ଗୁରବାର ବିଳମ୍ବିତ ରାତିରେ ପୋଲିସ ବାଇକ୍‌ ଯାଞ୍ଚ କରିଥିଲା। ଯାଞ୍ଚବେଳେ ୧ କିଗ୍ରା ୮୫୯ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ୨ ଯୁବକମାନେ ହେଲେ କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅଧୀନ ସିକୁଳିପଦା ଗ୍ରାମର ବରଜୁ ନାଏକ ଓ କାଲୁ ପ୍ରଧାନ। ଆଇଆଇସି ଆଦିତ୍ୟ ପ୍ରସାଦ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ପ୍ରସାଦ କୁମାର ଜେନାଙ୍କ ସମେତ ପୋଲିସ କର୍ମଚାରୀ ବ୍ଲକ ଛକରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ୨ ଯୁବକ ବାଇକ୍‌ ଯୋଗେ ଆନନ୍ଦପୁର ଆଡୁ ଭଦ୍ରକ ଅଭିମୁଖେ ଯାଉଥିଲେ। ପୋଲିସ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା। ସେମାନଙ୍କ ଠାରୁ ପୋଲିସ ଚୋରା ଗଞ୍ଜେଇ ଜବତ କରିଥିଲା । ପରେ ତାଙ୍କ ଠାରୁ ଏକ ବାଇକ୍‌, ୨ ଶହ ଟଙ୍କା ଓ ଗୋଟିଏ ଏଟିମ୍‌ କାର୍ଡ ଜବତ କରାଯାଇଛି। ଏନେଇ ଶୁକ୍ରବାର କେସ୍‌ ୩୩/୨୨ରେ ଏକ ମାମଲା ରୁଜ୍ଜୁ ହୋଇଥିଲା।