କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ବ୍ରହ୍ମପୁର ଅଫିସ, ୪।୫: ଅବକାରୀ ଗୁଇନ୍ଦା ଟିମ୍‌ ଗୁରୁବାର ଗଞ୍ଜାମ ଜିଲା ଚିକିଟି ଧାନଘର ନିକଟରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରିଛି। ଏକ ଟ୍ରକରେ ଗଞ୍ଜେଇ ଭର୍ତ୍ତି କରାଯାଇ ଚାଲାଣ ହେଉଥିଲା। ଘଟଣାସ୍ଥଳରୁ ଗୋଟିଏ ଗଞ୍ଜେଇ ଭର୍ତ୍ତି ଟ୍ରକ, କାର, ଦୁଇଟି ବାଇକ ଜବତ କରାଯାଇଛି। ଗଞ୍ଜେଇ ଚାଲାଣକାରୀ ତଥା କିଙ୍ଗପିନଙ୍କୁ ପୋଲିସ ଗିରଫ କରିଛି। ସେ ହେଉଛନ୍ତି ଦିଗପହଣ୍ଡି ଥାନା ଅନ୍ତର୍ଗତ ଅଢାସିଙ୍ଗି ଗ୍ରାମର ବିକ୍ରମ କୁମାର ସୁବୁଦ୍ଧି(୨୬)। ଏହି ରାକେଟରେ ସାମିଲ ଥିବା କିଙ୍ଗପିନଙ୍କ ଅନ୍ୟ ତିନିଜଣ ସହଯୋଗୀ ଅବକାରୀ ଟିମ୍‌କୁ ଚକମା ଦେଇ ଚମ୍ପଟ ମାରିଥିଲେ। ଉକ୍ତ ଜବତ ଗଞ୍ଜେଇ ମୁମ୍ବାଇ ଚାଲାଣ ହୋଇଥାନ୍ତା ବୋଲି ଅଭିଯୁକ୍ତଙ୍କୁ ଜେରା ବେଳେ ଟିମ୍‌ ଜାଣିବାକୁ ପାଇଛି। ଗଜପତି ଅଞ୍ଚଳରୁ ଗଞ୍ଜେଇ ବେଆଇନ ଭାବେ ଅଣାଯାଇ କନିଷି ଅଞ୍ଚଳରେ ମହଜୁଦ ରଖାଯାଇଥିଲା। ବୁଧବାର ରାତିରେ ଉକ୍ତ ଗଞ୍ଜେଇ ଚିକିଟି ଅଞ୍ଚଳକୁ ନିଆଯାଇ ସେଠାରେ ଏକ ଟ୍ରକରେ ଭର୍ତ୍ତି କରାଯାଇ ତାହାକୁ ଚାଲାଣ କରାଯାଉଥିଲା ବୋଲି ଜଣାପଡିଛି। ଅବକାରୀ ମାମଲା ନମ୍ବର ୬୫/୨୩-୨୪ ଅନୁଯାଇ ବିକ୍ରମଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଜବତ ଗଞ୍ଜେଇ, ଟ୍ରକ, କାର, ବାଇକ୍‌ର ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଅବକାରୀ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ସୂଚନା ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ବୁଧବାର ବିଳମ୍ବିତ ରାତି ୪ଟା ସମୟରେ ଚିକିଟି ଧାନଘର ଛକରୁ କେଲୁଆ ଛକ ମଧ୍ୟରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକରେ ଗଞ୍ଜେଇ ଭର୍ତ୍ତି କରାଯାଉଥିବା ନେଇ ଅବକାରୀ ଟିମ୍‌ ଖବର ପାଇଥିଲା। ସେଠାରେ ଚଢ଼ାଉ କରି ଟ୍ରକ ନମ୍ବର ଏଚଆର ୩୮କ୍ୟୁ – ୯୮୫୭ ଗା ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସେଥିରେ ଥିବା ୬୪ ପକେଟରେ ଗଞ୍ଜେଇ ଓ ମୋଟ ୩୨୦ କେଜି ଗଞ୍ଜେଇ ଜବତ କରିଛି। ସେହିପରି ଏହି ଗଞ୍ଜେଇ ଚାଲାଣ ରେ ବ୍ୟବହୃତ ହୋଇଥିବା ଏକ କାର ନମ୍ବର ୟୁପି-୧୬ଏଜେ – ୯୯୯୮, ଗୋଟିଏ ବୁଲେଟ ନମ୍ବର ଓ ୦୭ଏଜି- ୦୦୯୭ ଓ ଗୋଟିଏ ଟିଭିଏସ ଅପାଚି ନମ୍ବର ଓ ୩୨ଏଚ- ୩୩୬୧ ଗାଡି ଜବତ କରାଯାଇଛି। ଚଢଉରେ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ, ଏସଆଇ ଅଶୋକ ସାହୁ, ଏଏସଆଇ ବ୍ରଜବିହାରି ନାୟକ, ଅନ୍ତର୍ଯ୍ୟମି ସାହୁ, କନେଷ୍ଟେବଲ,ସୁଶାନ୍ତ ପାତ୍ର, କପିଳାଶ ଭତ୍ରା, କୁମୁଦ ଚନ୍ଦ୍ର ପ୍ରଧାନ , ବଳରାମ ଜେନା ସନ୍ତୋଷ ନାୟକ ପ୍ରମୁଖ ସାମିଲ ଥିଲେ।