ଗଛ ଜଗିଛନ୍ତି ଗଞ୍ଜେଇ ଚାଷୀ

ବଇଣ୍ଡା,୨୬ା୧୧(ପରିକ୍ଷିତ ସାହୁ): ପ୍ରତିବର୍ଷ ଚଢ଼ାଉ ହେଉଛି। ଲକ୍ଷ ଲକ୍ଷ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରାଯାଉଛି। ଶତାଧିକ ମାମଲା ସହ ବେଆଇନ ଚାଷୀଙ୍କୁ ଗିରଫ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ହଣ୍ଡପା ଓ ଠାକୁରଗଡ଼ ଥାନା ଅଞ୍ଚଳରେ ଗଞ୍ଜେଇ ଚାଷକୁ ରୋକାଯାଇପାରୁ ନାହିଁ। ଏଠାକାର ବହୁ ଅଞ୍ଚଳ ପାହାଡ଼ ଓ ଜଙ୍ଗଲିଆ ହୋଇଥିବାରୁ ଏହାର ଫାଇଦା ଉଠାଇ ଅପହଞ୍ଚ ସରକାରୀ ଜଙ୍ଗଲ ଜମିକୁ ଟାର୍ଗେଟ କରୁଛନ୍ତି ଚୋରା ବେପାରୀ। ସେମାନେ ବାହାର ଅଞ୍ଚଳର ଚାଷୀଙ୍କୁ ଏଠାକୁ ପଠାଇ ଏହି ବେଆଇନ ଚାଷ କରିବା ସହ କୋଟି କୋଟି ଟଙ୍କା ଆୟ କରୁଛନ୍ତି। ଗତ ୬ ବର୍ଷରେ ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗ ୩ କୋଟିରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରିଥିଲେ ମଧ୍ୟ ଏହାର ମୂଳୋତ୍ପାଟନ କରିପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ୨୦୧୪ରେ ହଣ୍ଡପା ଓ ଠାକୁରଗଡ଼ ଥାନା ଅଞ୍ଚଳରୁ ୫୨ ଲକ୍ଷ ୧୦ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ୩୧ ଜଣଙ୍କ ନାମରେ ମାମଲା ରୁଜୁ ସହ ୬ଜଣଙ୍କୁ ଗିରଫ କରାଯାଇଥିଲା। ୨୦୧୫ରେ ୫୯ ଲକ୍ଷ ୨୦ ହଜାର ୭ଶହ ଗଛ କାଟି ପୋଡ଼ି ଦିଆଯାଇଥିଲା। ୨୫ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ୧୦ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୧୬ରେ ୬୦ ଲକ୍ଷ ୩୦ ହଜାର ଗଛ କଟାଯିବା ସହ ୧୭ ଜଣଙ୍କ ନାମରେ ମାମଲା ହୋଇଥିଲା। ୧୨ ଜଣ ଚାଷୀ ଗିରଫ ହୋଇଥିଲେ। ୨୦୧୭ରେ ୩୯ ଲକ୍ଷ ୪୦ ହଜାର ଗଛ ପୋଡ଼ା ଯାଇଥିବାବେଳେ ୩ଜଣଙ୍କୁ ଗିରଫ କରାଯାଇଥିଲା। ୨୦୧୮ରେ ୪୧ ଲକ୍ଷ ୩୦ ହଜାର ୬ଶହ, ୨୦୧୯ରେ ୨୮ ଲକ୍ଷ ୩୨ ହଜାର ୪ଶହ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଥିଲା। ତେବେ ଏହି ସରକାରୀ କାର୍ଯ୍ୟାନୁଷ୍ଠାନ ଚୋରା ବେପାରୀ ଓ ବେଆଇନ ଚାଷୀଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ। କାରଣ ଚଳିତବର୍ଷ ଏଠାକାର ଶତାଧିକ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ କରାଯାଇଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାଜ୍ୟ ବାହାର ବ୍ୟବସାୟୀଙ୍କ ସହ ଅଞ୍ଚଳର କେତେଜଣ ଚାଷୀ ପ୍ରତିବର୍ଷ ଗଞ୍ଜେଇ ଚାଷ କରିଆସୁଛନ୍ତି। ଏଥିପାଇଁ ଆଗୁଆ ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ଜମା କରାଯାଉଛି। ବିଶେଷକରି ହଣ୍ଡପା ଥାନା ମାମୁରିଝରଣ, ଖୋଲାରେଗେଡା, ହଗିରିନାଳ, ହଟବା, ମଧପୁର, ଜୟଗଡ଼, କୁଣ୍ଢଳି, ଉଞ୍ଚବାଲି, ହିଞ୍ଜିରିଡ଼ା, ଗୁଣ୍ଡୁରିଝରଣ, ଚାରଖମଣ, ଉଡ଼ଲ, ଠାକୁରଗଡ଼ ଥାନାର ଲକ୍ଷ୍ମୀପୁର, ଘଟିଟେଣ୍ଟଲି, ରାଇନାଳୀ, କଂସାବ, କୋରାବ, ଝାଟିକିବାହାଳ, କେଞ୍ଚୁଆନାଳୀ, ଖଳିତଇଲା, ବିପ୍ରଡିହ ଆଦି ଗ୍ରାମ୍ୟ ଜଙ୍ଗଲରେ ଏହି ବେଆଇନ ଚାଷ କରାଯାଇଛି। ଜୁଲାଇ ମାସରେ ଚାରା ରୋପଣ ହୋଇଥିବାରୁ ଏବେ ଗଛଗୁଡ଼ିକ ବଡ଼ ହୋଇଗଲାଣି। ଆଉ କିଛିଦିନ ପରେ ଅମଳ ହେବାକୁ ଥିବାରୁ ଚାଷୀମାନେ ତମ୍ବୁ ଟାଣି ସେଠାରେ ଜଗି ରହିଛନ୍ତି। ବାହାର ଚୋରା ବେପାରୀ ମଧ୍ୟ ଅମଳ ଫସଲ ନେବାକୁ ଚାଷ ଅଞ୍ଚଳରେ ପହଞ୍ଚି ଯୋଜନା ପ୍ରସ୍ତୁତ କଲେଣି। ତେବେ ଗତ ୧୮ ତାରିଖରେ ଅନୁଗୋଳ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ହଣ୍ଡପା ପୋଲିସ ପକ୍ଷରୁ ଖୋଲାରେଗେଡା ଜଙ୍ଗଲରେ ଚଢ଼ାଉ କରାଯାଇ ୪୦ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ସୂଚନା ମିଳିଛି।
ଏ ସମ୍ପର୍କରେ ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା କୁହନ୍ତି, କିଛିଦିନ ତଳେ ୨ ହଜାର ଗଛ କାଟି ପୋଡ଼ି ଦିଆଯାଇଛି। ଆଉ କେଉଁଠି ଏହି ଚାଷ ହୋଇଛି ତାହାକୁ ଚିହ୍ନଟ କରାଯାଉଛି। ଆଠମଲ୍ଲିକ ଅବକାରୀ ନିରୀକ୍ଷକ ଅନିତା ଓଝା କୁହନ୍ତି, କେଉଁ ଅଞ୍ଚଳରେ ଏହି ବେଆଇନ ଚାଷ କରାଯାଇଛି ତାହାକୁ ଚିହ୍ନଟ କରାଯାଇ ଶୀଘ୍ର ପଦକ୍ଷେପ ନିଆଯିବ।

ଶୀଘ୍ର ପଦକ୍ଷେପ ନିଆଯିବ
ଗଞ୍ଜେଇ ଚାଷ ବେଆଇନ। ଯେଉଁ ଅଞ୍ଚଳରେ ଏହି ଚାଷ କରାଯାଇଛି ତାହା ଚିହ୍ନଟ କରାଯାଇ ଖୁବ୍‌ଶୀଘ୍ର ଚଢ଼ାଉ ପାଇଁ ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗକୁ ନିର୍ଦ୍ଦେଶ ଦିଆଯିବ। ଏଥିସହ ଚାଷୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନାମରେ ମାମଲା ରୁଜୁ କରାଯିବ।
-ଲଳିତମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ

କଠୋର କାର୍ଯ୍ୟାନୁଷ୍ଠାନ ଲୋଡ଼ା
ପୂର୍ବାପେକ୍ଷା ଏଠାକାର ଅଞ୍ଚଳରେ ଗଞ୍ଜେଇ ଚାଷ ହ୍ରାସ ପାଇଛି। ତଥାପି ମୁଷ୍ଟିମେୟ ଲୋକଙ୍କ ଦ୍ୱାରା ଏହି ବେଆଇନ କାର୍ଯ୍ୟ କରାଯାଇ ଆସୁଛି। ଲୋକେ ଅଧିକ ସଚେତନ ଓ ସଙ୍ଗଠିତ ହେବା ସହ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏହାକୁ ରୋକାଯାଇପାରିବ।
-ମନୋଜ କୁମାର ମହାପାତ୍ର, ସାମାଜିକ କର୍ମୀ, ବଣିନାଳୀ

ଠିକ୍‌ ସମୟରେ ପଦକ୍ଷେପ ନିଆଯାଉନି
ପ୍ରତି ବର୍ଷ ଗଞ୍ଜେଇ ଚାଷ କରାଯାଉଛି। ଜଙ୍ଗଲ, ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉ ନାହିଁ କି ଠିକ୍‌ ସମୟରେ ପଦକ୍ଷେପ ନିଆଯାଉ ନାହିଁ। ଏହି ବେଆଇନ ଚାଷ ଯୋଗୁ ଗ୍ରାମାଞ୍ଚଳରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଛି।
-ନିରଜକାନ୍ତ ସାହୁ, ପାଇକସାହି

କେମିତି ଜାଣିପାରୁନି ବନ ବିଭାଗ
ଜଙ୍ଗଲାଞ୍ଚଳରେ ଏହି ଚାଷ ପ୍ରତିବର୍ଷ କରାଯାଉଛି। ଶହ ଶହ କୁଇଣ୍ଟାଲ ଗଞ୍ଜେଇ ଅମଳ କରାଯାଉଛି। କିନ୍ତୁ ବନ ବିଭାଗ ଏ ନେଇ ଜାଣିପାରୁ ନ ଥିବାରୁ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି। ଅନୁଗୋଳ ଏସ୍‌ପି ତୁରନ୍ତ ଦୃଢ଼ ପଦକ୍ଷେପ ନିଅନ୍ତୁ।
-ଘନଶ୍ୟାମ ବେହେରା, ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri