କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍ ଆଣ୍ଟି-କ୍ୟାନସର ଔଷଧ ଉପରେ ଟ୍ରେଡ୍ ମାର୍ଜିନ୍‌କୁ ସର୍ବାଧିକ ୩୦ ପ୍ରତିଶତରେ ସୀମିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ କ୍ୟାନସର ଔଷଧର ଖୁଚୁରା ମୂଲ୍ୟ (MRP)ରେ ବଡ଼ ହ୍ରାସ ହେବା ଆଶା କରାଯାଉଛି ।

ସରକାରଙ୍କ ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ ଔଷଧ ଉପରେ ଅତ୍ୟଧିକ ଲାଭକୁ ରୋକିବା ସହ ଜୀବନରକ୍ଷକ କ୍ୟାନସର ଔଷଧକୁ ଅଧିକ ସୁଲଭ କରିବା। ଖବର ଅନୁସାରେ, ଟ୍ରେଡ୍ ମାର୍ଜିନ୍‌ରେ ୩୦ ପ୍ରତିଶତ ସୀମା ଲାଗୁ ହେବା ପରେ କ୍ୟାନସର ଔଷଧର MRPରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ଏହା ଫଳରେ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚରେ ବଡ଼ ହ୍ରାସ ଆସିବ। ଆକଳନ ଅନୁସାରେ, ସରକାରଙ୍କ ଏହି ପଦକ୍ଷେପ ଫଳରେ ରୋଗୀମାନେ ପ୍ରତିବର୍ଷ ପ୍ରାୟ ୨,୫୦୦ କୋଟି ଟଙ୍କା ସିଧାସଳଖ ସଞ୍ଚୟ କରିପାରିବେ।

ସରକାରଙ୍କ ଏହି ନିଷ୍ପତ୍ତିର ପରିସରରେ ସମସ୍ତ ପ୍ରକାରର ନନ୍-ସେଡ୍ୟୁଲ୍ କ୍ୟାନସର ଔଷଧକୁ ସାମିଲ କରାଯାଇଛି । ବ୍ରାଣ୍ଡେଡ୍ ହେଉ କି ଜେନେରିକ୍, ଦେଶରେ ଉତ୍ପାଦିତ ହେଉ କି ବିଦେଶରୁ ଆମଦାନୀ ହେଉ, ପେଟେଣ୍ଟେଡ୍ କିମ୍ବା ନନ୍-ପେଟେଣ୍ଟେଡ୍ ସମସ୍ତ ନନ୍-ସେଡ୍ୟୁଲ୍ ଆଣ୍ଟି-କ୍ୟାନସର ଔଷଧ ଉପରେ ଏହି ନିୟମ ସମାନ ଭାବେ ଲାଗୁ ହେବ । ଏହା ଦ୍ୱାରା ଔଷଧର ଦାମ କମିବା ସହ ଜୀବନରକ୍ଷକ ଔଷଧର ବଜାର ଯୋଗାଣ ଉପରେ ଯେପରି କୌଣସି ପ୍ରଭାବ ନପଡ଼େ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ।

ସରକାରଙ୍କ ଏହି ନୂଆ ପଦକ୍ଷେପକୁ ୨୦୧୯ରେ ନିଆଯାଇଥିବା ଏକ ନିଷ୍ପତ୍ତିର ପରବର୍ତ୍ତୀ ପଦକ୍ଷେପ ବୋଲି କୁହାଯାଉଛି । ସେତେବେଳେ ୫୨୬ଟି ବ୍ରାଣ୍ଡ୍ ଉପରେ ଏହିପରି ବ୍ୟବସ୍ଥା ଲାଗୁ କରାଯାଇଥିଲା।ସେହି ପଦକ୍ଷେପ ଫଳରେ ରୋଗୀମାନେ ବାର୍ଷିକ ପ୍ରାୟ ୯୮୪ କୋଟି ଟଙ୍କା ସଞ୍ଚୟ କରିଥିବା ଆକଳନ କରାଯାଇଥିଲା। ଏବେ ନୂଆ ନିଷ୍ପତ୍ତି ମାଧ୍ୟମରେ କ୍ୟାନସର ଚିକିତ୍ସାକୁ ଅଧିକ ସୁଲଭ ଓ ରୋଗୀକେନ୍ଦ୍ରିକ କରିବା ଦିଗରେ ସରକାର ପଦକ୍ଷେପ ନେଇଛନ୍ତି ।

 

Dharitri – Odisha’s No.1 Odia Daily

Share