Categories: ଖେଳ

ଆଇସିସି ଚେୟାରମ୍ୟାନ ଦୌଡ଼ରେ କାମେରନ

କିଙ୍ଗଷ୍ଟନ, ୨୯ା୬ (ପି.ଟି.)- ଭାରତର ଶଶାଙ୍କ ମନୋହରଙ୍କ ସ୍ଥାନରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚେୟାରମ୍ୟାନ ପଦବୀ ଦୌଡ଼ରେ ସାମିଲ ହୋଇଛନ୍ତି କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ)ର ପୂର୍ବତନ ମୁଖ୍ୟ ଡେଭ୍‌ କାମେରନ। ୟୁନାଇଟେଡ୍‌ ଷ୍ଟେଟ୍ସ ହଲ୍‌ ଅଫ୍‌ ଫେମ୍‌ ତାଙ୍କ ନାମ ସୁପାରିସ୍‌ କରି ମନୋହରଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। କାମେରନ ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ସିଡବ୍ଲ୍ୟୁଆଇ ସଭାପତି ଭାବେ କାର୍ଯ୍ୟକରିଛନ୍ତି। ଆମକୁ ଏକ ସ୍ଥାୟୀ ବିତ୍ତୀୟ ମଡେଲ ଖୋଜି ବାହାର କରିବାକୁ ପଡ଼ିବ, ଯାହାଦ୍ୱାରାକି ଟିମ୍‌ ଗୁଡ଼ିକ ଯୋଗ୍ୟତାଭିତ୍ତିରେ ଉପାର୍ଜନ କରିପାାରିବେ ବୋଲି ନିକଟରେ ଏକ ସାକ୍ଷାତ୍‌କାରରେ କାମେରନ ପ୍ରକାଶ କରିଥିଲେ। କ୍ରିକେଟର ‘ବିଗ୍‌ ଥ୍ର’ ଭାବେ ପରିଚିତ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସମସ୍ତ ଇଭେଣ୍ଟ ଆୟୋଜନ କରୁଛନ୍ତି। ସେମାନଙ୍କର ଦର୍ଶକ ଏବଂ ବୃହତ୍‌ ଅର୍ଥବ୍ୟବସ୍ଥା ରହିଛି। ହେଲେ ଛୋଟ ଛୋଟ ଦେଶଗୁଡ଼ିକ ସବୁବେଳେ ଆଇସିସିର ଆର୍ଥତ୍କ ସହାୟତାକୁ ଚାହିଁ ବସିଥାନ୍ତି। ଆମେ ରାଜସ୍ବକୁ ସମାନ ଭାବେ ବଣ୍ଟା ଯାଉ ବୋଲି ଚାହୁଁନା କିନ୍ତୁ ନ୍ୟାୟସଙ୍ଗତ ଭାଗ ମିଳିବା ଉଚିତ୍‌ ବୋଲି କାମେରନ କହିଛନ୍ତି। ଆଇସିସି ଚେୟାରମ୍ୟାନ ପଦବୀ ପାଇଁ ପ୍ରାର୍ଥୀ ହେଲେ ଦୁଇଟି ସୁପାରିସ ଆବଶ୍ୟକ ରହିଛି। କ୍ରିକେଟ ଓ୍ବେଷ୍ଟଇଣ୍ଡିଜର ବର୍ତ୍ତମାନ ମୁଖ୍ୟଙ୍କର ତାଙ୍କ ପ୍ରତି ସମର୍ଥନ ରହିଛି କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ, କାରଣ ଦୁଇଜଣଙ୍କ ମଧ୍ୟରେ ମତାନ୍ତର ରହିଛି। ମନୋହରଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷ ହେଉଛି। ଜୁଲାଇ ଶେଷ ଭାଗରେ ଆଇସିସିର ବାର୍ଷିକ ସାଧାରଣ ବୈଠକ ବସିବ। ଚେୟାରମ୍ୟାନ ପଦବୀ ପାଇଁ ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ମୁଖ୍ୟ କଲିନ ଗ୍ରେଭ୍‌। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଦୌଡ଼ରେ ସାମିଲ ହୋଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି। କାମେରନ କହିଛନ୍ତି, ସେ ଯଦି ଆଇସିସି ଚେୟାରମ୍ୟାନ ହୁଅନ୍ତି ତେବେ ଯୁକ୍ତରାଷ୍ଟ୍ର ଆମେରିକାରେ କ୍ରିକେଟ ଖେଳର ପ୍ରସାର ଦିଗରେ କାର୍ଯ୍ୟ କରିବେ।

Share