ଚିକିତ୍ସା ପାଇଁ ଆସିଥିଲେ: ଡାକ୍ତର ନ ଥିବାରୁ ନିରାଶ ହୋଇ ଫେରିଲେ

ଦାରିଙ୍ଗବାଡି,୨୮।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି ଜରୁରୀ ସେବା। ସୋମବାର ଶ୍ରମିକ ପବୀର ପ୍ରଧାନ ଟାଙ୍ଗିଆରେ କାଠ ହାଣୁଥିଲେ। ହେଲେ ଦେହରେ ଟାଙ୍ଗିଆ ବାଜି ଗଭୀର ଆଘାତ ଲାଗିଥିଲା। ସମ୍ପର୍କୀୟ ଅରୁଣ ପ୍ରଧାନ ତାଙ୍କୁ ଗୁରୁତର ଅବସ୍ଥାରେ ସିମନବାଡି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ହସ୍ପିଟାଲରେ କୌଣସି ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀ ଉପସ୍ଥିତ ନ ଥିଲେ। ସେତିକିବେଳେ ପବୀରଙ୍କ ଅଧିକ ରକ୍ତ ସ୍ରାବ ହୋଇ ଗୁରୁତର ହୋଇପଡ଼ିଲେ। ଫଳରେ ସମ୍ପର୍କୀୟ ପବୀରଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେବାକୁ ବାଧ୍ୟ ହୋଇଥିଲେ। ସିମନବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ ଜରୁରୀସେବା ମିଳୁ ନ ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗୁରୁତର ପବୀରଙ୍କ ସମ୍ପର୍କୀୟ ଏନେଇ ଜିଲା ସ୍ବାସ୍ଥ୍ୟ ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ କନ୍ଧମାଳ ଜିଲାପାଳଙ୍କୁ ଏନେଇ ଅଭିଯୋଗ କରିବାକୁ ଫୋନ କରିଥିଲେ ସୁଦ୍ଧା କେହି ଫୋନ ଉଠାଇ ନ ଥିବା ସମ୍ପର୍କୀୟ ଅରୁଣ କହିଛନ୍ତି।

ସୂଚନା ଯୋଗ୍ୟ, ସିମନବାଡିରେ ନିୟମିତ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟ ସୁଶାନ୍ତ କୁମାର ସାହୁଙ୍କ ଅନ୍ୟତ୍ର ବଦଳି ପରେ ତାଙ୍କ ବଦଳରେ ଆସିଥିବା ଫାର୍ମାସିଷ୍ଟ କୁଆଡେ ଛୁଟିରେ ଅଛନ୍ତି। ବଦଳିକୁ ବାତିଲ କରି ପୁଣି ସୁଶାନ୍ତ ସାହୁଙ୍କୁ ସିମନବାଡି ଫେରେଇ ଆଣିବାକୁ ଗ୍ରାମବାସୀ ଦାବି କରିଥିଲେ ସୁଦ୍ଧା ତାଙ୍କର ବଦଳି ବାତିଲ ହୋଇ ନ ଥିବା ଜଣାପଡିଛି। ସେ ସିମନବାଡ଼ି ସୱାସ୍ଥ୍ୟକେନ୍ଦ୍ରରେ ନିୟମିତ ରହି ରୋଗୀଙ୍କୁ ସେବା ଯୋଗାଉଥିବା ବେଳେ ଏବେ ତାଙ୍କ ବଦଳି ଯୋଗୁ ଅଞ୍ଚଳରେ ଲୋକମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ସବା ପାଉ ନ ଥିବା ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟସ୍ଥା ସମ୍ପର୍କରେ ଫୁଲବାଣୀ ଅତିରିକ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀ ପ୍ରସନ୍ନ ତ୍ରିପାଠୀଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ସେ ଦାୟିତ୍ୱରେ ଥିବା ମେଡିକାଲ ଅଫିସରଙ୍କ ସହ ଓ ଦାରିଙ୍ଗବାଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ରୋଗୀଙ୍କ କୌଣସି ଅସୁବିଧା ନ ହୁଏ ଏନେଇ ଅବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।