ପାଞ୍ଚଶହରୁ ଉର୍ଦ୍ଧ୍ୱ ଶବଦାହ କରି ଚର୍ଚ୍ଚାରେ ଶିବରାମ

ଗଞ୍ଜାମ,୧୯।୯(ଡି.ଏନ.ଏ.): ପେସାରେ ଜଣେ ବ୍ୟବସାୟୀ। ହେଲେ ସମସ୍ତେ ତାଙ୍କୁ ମଶାଣି ସାଥୀ ଭାବେ ଜାଣନ୍ତି l ଶବଦାହ ପାଇଁ କେହି ଡାକନ୍ତୁ ବା ନ ଡାକନ୍ତୁ ସେ ସବୁ କାମ ଛାଡି ସେ ମଶାଣିରେ ପହଞ୍ଚିଯାନ୍ତି। ଏଥିରେ ତାଙ୍କୁ ତୃପ୍ତି ମିଳିଥାଏ ବୋଲି ସେ କହନ୍ତି l ଏଭଳି ଜଣେ ନିଆରା ଯୁବକ ହେଲେ ଶିବରାମ ଜେନା। ଘର ଗଞ୍ଜାମ ଏନଏସି ଅନ୍ତର୍ଗତ ପଇଁତୋଳା ଗ୍ରାମରେ। ତାଙ୍କ ବାପା ପ୍ରହ୍ଲାଦ ନାଟକରେ ପ୍ରହ୍ଲାଦ ଭୂମିକାରେ ନିଖୁଣ ଅଭିନୟ କରି ବେଶ ଖ୍ୟାତି ଅର୍ଜନ କରିଛନ୍ତିl ସେତେବେଳେ ଅଭାବ ଅନଟନ ଯୋଗୁ ଅଧାରୁ ପାଠ ପଢା ଛାଡି ବାପାଙ୍କୁ ଚାଷ କାର୍ଯ୍ୟରେ ସହଯୋଗ କରି ଆଗକୁ ବଢିଥିଲେ। ସେ ଏବେ ବ୍ୟବସାୟ କରୁଛନ୍ତି। ୪୫ ବର୍ଷ ବୟସରେ ସେ ଏବେ ୫୦୦ରୁ ଉର୍ଦ୍ଧ୍ୱ ଶବଦାହ କରି ମହନୀୟତାର ପରିଚୟ ଦେଇଛନ୍ତି। ପୂର୍ବରୁ ଗ୍ରାମ କିମ୍ବା ବାହାରେ ଯେକୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ସୁକୁରିଆ ତରାଇ ନାମକ ବ୍ୟକ୍ତି ମଶାଣିରେ ଶବଦାହ କରୁଥିଲେ। ତାଙ୍କର ମୃତ୍ୟୁ ହେବା ପରେ ଶିବରାମ ତାହାକୁ ଆପଣାଇବା ପାଇଁ ମନେ ମନେ ସ୍ଥିର କରିଥିଲେ। ଜାତି ଅଜାତି ବାଛ ବିଚାର ନ କରି ସେ ଏହି କାର୍ଯ୍ୟ କରନ୍ତି। ଶବଦାହକୁ ପୁଣ୍ୟ କାମ ଭାବନ୍ତି ଶିବରାମ। ଏପରି ନିସ୍ବାର୍ଥପର କାର୍ଯ୍ୟ ପାଇଁ ସେ ଗଞ୍ଜାମ ଅଞ୍ଚଳରେ ବହୁ ପ୍ରଶଂସା ସାଉଁଟି ପାରିଛନ୍ତି।