ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫, ୨୦୨୭ରେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ୫୦୮ କିଲୋମିଟର ବ୍ୟାପି ଏହି ହାଇ-ସ୍ପିଡ୍ ରେଳ ପ୍ରକଳ୍ପ ଦେଶର ଯାତ୍ରୀ ପରିବହନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବ।
ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡରକୁ ନିମ୍ନଲିଖିତ ପର୍ଯ୍ୟାୟରେ କାର୍ଯ୍ୟକ୍ଷମ କରାଯିବ। ସୁରଟରୁ ବିଲିମୋରା ସ୍ଟେଶନ ପ୍ରଥମ ପର୍ଯ୍ୟାୟରେ ଉଦ୍ଘାଟନ ହେବ।
ଭାପିରୁ ସୁରଟ ଦ୍ୱିତୀୟ, ଭାପିରୁ ଅହମ୍ମଦାବାଦ ତୃତୀୟ, ଏହା ପଛକୁ ଥାଣେରୁ ଅହମ୍ମଦାବାଦ ଆଦି ଉଦଘାଟନ ହେବ।
ଏହି ଅବସରରେ ରେଳ ମନ୍ତ୍ରୀ କହିଛନ୍ତି, “୨୦୨୭ ସ୍ୱାଧୀନତା ଦିବସରେ ଆପଣ ବୁଲେଟ୍ ଟ୍ରେନ୍ ଟିକେଟ୍ କିଣିପାରିବେ।” ଏହି ଟ୍ରେନ୍ ମୁମ୍ବାଇ, ଥାଣେ, ଭାପି, ସୁରଟ, ଭରୁଚ୍, ବରୋଦା ଏବଂ ଅହମ୍ମଦାବାଦ ଭଳି ପ୍ରମୁଖ ସହରଗୁଡ଼ିକୁ ସଂଯୋଗ କରିବ।
ଏହି ପ୍ରକଳ୍ପର ୩୫୨ କିମି ଗୁଜରାଟ ଓ ଦାଦ୍ରା-ନଗର ହାଭେଳିରେ ଏବଂ ୧୫୬ କିମି ମହାରାଷ୍ଟ୍ରରେ ଅବସ୍ଥିତ। ପ୍ରାୟ ୪୬୫ କିମି (୮୫%) ପଥ ଏଲିଭେଟେଡ୍ ଭାୟାଡକ୍ଟ ଭାବେ ନିର୍ମିତ ହେଉଛି, ଯେଉଁଥିରୁ ୩୨୬ କିମି କାର୍ଯ୍ୟ ଶେଷ ହୋଇଛି। ୨୫ଟି ପ୍ରସ୍ତାବିତ ନଦୀ ପୋଲ ମଧ୍ୟରୁ ୧୭ଟିର ନିର୍ମାଣ ସରିଛି।
ସେହିପରି ହୀରା ଶିଳ୍ପ ଶୈଳୀରେ ନିର୍ମିତ ଏହି ଅତ୍ୟାଧୁନିକ ଷ୍ଟେସନର ଢାଞ୍ଚାଗତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏଥିରେ ଯାତ୍ରୀଙ୍କ ପାଇଁ ତିନୋଟି ସ୍ତରରେ ବିଶ୍ୱସ୍ତରୀୟ ସୁବିଧା ରହିଛି।
ବୁଲେଟ୍ ଟ୍ରେନ୍ ବ୍ୟତୀତ ମନ୍ତ୍ରୀ ବୈଷ୍ଣବ ‘ବନ୍ଦେ ଭାରତ ଏକ୍ସପ୍ରେସ’ର ସଫଳତା ସମ୍ପର୍କରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଦେଶବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଆରମ୍ଭ କରାଯିବ। ଏହା ରାତିକାଳୀନ ଯାତ୍ରା ପାଇଁ ସୁରକ୍ଷିତ ଏବଂ ଆରାମଦାୟକ ଅନୁଭୂତି ପ୍ରଦାନ କରିବ।


