Categories: ବାଣିଜ୍ୟ

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫ ମଧ୍ୟରେ ପୂର୍ବତଟ ରେଳପଥ ୨୫୦ ନିୟୁତ ଟନ୍‌ ପଣ୍ୟ ପରିବହନ କରି ୨୦୨୨-୨୩ ଆର୍ଥିକ ବର୍ଷର ସର୍ବୋଚ୍ଚ ମାଲ ପରିବହନ ରେକର୍ଡକୁ ଅତିକ୍ରମ କରିଛି। କ୍ରମାଗତ ୫ ଥର ପାଇଁ ୨୦୦ ମିଲିୟନ ଟନ୍‌ ପଣ୍ୟ ବୋଝେଇ କ୍ଷେତ୍ରରେ ପୂର୍ବତଟ ରେଳପଥ ପ୍ରଥମ ଜୋନ୍‌ ହୋଇପାରିଛି। ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ ଦ୍ୱାରା ଏହି ଲକ୍ଷ୍ୟ ହାସଲ ହୋଇପାରିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦ ନିୟୁତ ଟନ୍‌ ପଣ୍ୟ ବୋଝେଇ କରିବା ପାଇଁ ପୂର୍ବତଟ ରେଳପଥ ଅବିଭକ୍ତ ଦକ୍ଷିଣ ପୂର୍ବ ରେଳପଥ ପରେ ଦ୍ୱିତୀୟ ରେଳ ଜୋନ୍‌ ଥିଲା। ବର୍ତ୍ତମାନ ଏହା ୨୫୦ ନିୟୁତ ଟନ୍‌ ପଣ୍ୟ ପରିବହନ କରିଥିବା ପ୍ରଥମ ରେଳ ଜୋନ୍‌ ହୋଇପାରିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ୧୪୯.୫୦ ନିୟୁତ ଟନ୍‌ କୋଇଲା, ୧୨.୯ ନିୟୁତ ଟନ୍‌ ଇସ୍ପାତ କାରଖାନାକୁ କଞ୍ଚାମାଲ ପରିବହନ, ୨୦.୧୫ ନିୟୁତ ଟନ୍‌ ଷ୍ଟିଲ୍‌ ଆଣ୍ଡ ସ୍ଲାଗ୍‌, ୩୭.୪ ନିୟୁତ ଟନ୍‌ ଲୁହାପଥର, ୧.୨୧ ନିୟୁତ ଟନ୍‌ ସିମେଣ୍ଟ, ୩.୧୬ ନିୟୁତ ଟନ ଖାଦ୍ୟଶସ୍ୟ ପରିବହନ କରିଥିବାବେଳେ ୬.୪ ନିୟୁତ ଟନ୍‌ ସାର, ୩.୦ ନିୟୁତ ଟନ ଖଣିଜ ତୈଳ ଏବଂ ଏହା ସହିତ କଣ୍ଟେନର ଏବଂ ଅନ୍ୟାନ୍ୟ ସାମଗ୍ରୀରେ ୨୩.୨୭ ନିୟୁତ ଟନ୍‌ ପଣ୍ୟ ପରିବହନ କରାଯାଇପାରିଛି। ଗତ ବର୍ଷର ସମାନ ସମୟ ଅବଧି ତୁଳନାରେ ଏହା ୬ ପ୍ରତିଶତରୁ ଅଧିକ ପଣ୍ୟ ପରିବହନ କରିପାରିଛି। ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍‌, ରେଳ ମଣ୍ଡଳ ୧୫୬.୧୭ ନିୟୁତ ଟନ ପଣ୍ୟ ବୋଝେଇ କରିଥିବାବେଳେ ୱାଲ୍‌ଟିୟର ରେଳମଣ୍ଡଳ ୭୪.୬୬ ନିୟୁତ ଟନ ଏବଂ ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା ୧୯.୨୦ ନିୟୁତ ଟନ ଯୋଗଦାନ କରିଛି। ସମସ୍ତ ତିନୋଟି ରେଳ ମଣ୍ଡଳ ପୂର୍ବ ବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ସେମାନଙ୍କର ଗତ ବର୍ଷର ପଣ୍ୟ ବୋଝେଇ ଆକଳନକୁ ଅତିକ୍ରମ କରିଛନ୍ତି। ତାଳଚେରରେ ଏମ୍‌ସିଏଲ୍‌ର କୋଇଲା କ୍ଷେତ୍ର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ପାରାଦୀପ, ଧାମରା, ଭାଇଜାଗ, ଗଙ୍ଗାଭରମ ଏବଂ ଗୋପାଳପୁର ଆଦି ୫ଟି ମନ୍ଦର, ଛତିଶଗଡ଼ର ବୈଲାଡିଲାରେ ଲୁହାପଥର ଖଣି, ବୃହତ୍‌ ଇସ୍ପାତ ଏବଂ ଆଲୁମିନିୟମ କମ୍ପାନୀ, କେନ୍ଦୁଝର ଜିଲ୍ଲାର ଲୁହାପଥର ଖଣି ଏହି ସଫଳତା ପାଇଁ ପ୍ରମୁଖ ଯୋଗଦାନ ଦେଇଛନ୍ତି। ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ କହିଛନ୍ତି, ସକାରାତ୍ମକ ମନୋଭାବ ଏବଂ ନିରନ୍ତର କଠିନ ପରିଶ୍ରମ ସହ ଠିକ୍‌ ଚିନ୍ତାଧାରା ଏହି ରେଳପଥ ଜୋନ୍‌ ପାଇଁ ସଫଳତା ଆଣିଦେଇଛି।

Share