ଦିଗପହଣ୍ଡି,୩।୧(ଅଶେଷ ନାଥ ମିଶ୍ର): ରାଜ୍ୟ ପରିବହନ ନିଗମର ଏକ ସରକାରୀ ଯାତ୍ରୀବାହୀ ବସ୍କୁ ଅଟକାଇ ଚାଳକଙ୍କୁ ଦୁର୍ବ୍ୟବହାର ସହ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଚାଳକ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।
ଅଭିଯୋଗ ମୁତାବକ, ଗତ ୩୧ ତାରିଖ ବୁଧବାର ବିଳମ୍ବିତ ରାତିରେ ଦିଗପହଣ୍ଡି ପୁରୁଣା ବସ୍ଷ୍ଟାଣ୍ଡଠାରେ କିଛି ଯୁବକ ଜିରୋ ନାଇଟ ସେଲିବ୍ରେଟ୍ କରୁଥିଲେ । ସେତିକିବେଳେ ଭୁବନେଶ୍ବରରୁ ଭାୟା ଦିଗପହଣ୍ଡି ଦେଇ କୋରାପୁଟ ଅଭିମୁଖେ ଯାଉଥିବା ସରକାରୀ ବସ୍(ନଂ. ଓଡି ୦୨ ସିଟି- ୪୨୦୪)କୁ ଯୁବକମାନେ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଚାଳକ ବସ୍ ନ ରଖି ଦ୍ରୁତ ଗତିରେ ଚାଲି ଯାଇଥିଲେ।
ହେଲେ ଯୁବକମାନେ ଏକ କାର୍ (ନଂ. ଓଡି ୦୭ ଏଏନ୍-୬୨୪୬ )ଯୋଗେ ବସ୍କୁ ପିଛା କରି ଦିଗପହଣ୍ଡି ପୁଞ୍ଜିକଂୟା ଛକଠାରୁ ଅଳ୍ପ ଦୂରରେ ଅଟକାଇ ଥିଲେ। ପରେ ଯୁବକମାନେ ଚାଳକଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରିକି ନିଶାସକ୍ତ ଯୁବକମାନେ ବସକୁ ଟେକା, ପଥର ମାଡ଼ କରି ବ୍ୟାପକ ଭଙ୍ଗାରୁଜା କରିବା ସହ ସମ୍ମୁଖ ଭାଗ କାଚ୍ ଭାଙ୍ଗି ଫେରାର ହୋଇଯାଇଥିଲେ।
ହେଲେ ବସଟି କୋରାପୁଟ ଅଭିମୁଖେ ଯାତ୍ରା କରିଥିବା ବେଳେ ଶୁକ୍ରବାର କୋରାପୁଟରୁ ଭୁବନେଶ୍ବର ଫେରିବା ବାଟରେ ଦିଗପହଣ୍ଡି ଥାନାରେ ପହଞ୍ଚି ଚାଳକ ରଘୁନାଥ ସାହୁ ୫ଜଣ ଯୁବକଙ୍କ ନାଁରେ ଏତଲା ଦେଇଥିଲେ।
ଅଭିଯୁକ୍ତ ଯୁବକଙ୍କ ପରିଚୟ ଜଣାପଡି ନ ଥିବା ବେଳେ ଚାଳକଙ୍କ ଏତଲାକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୧/୨୬) ରୁଜୁ କରିଛି। ଏଏସ୍ଆଇ ମନୋଜ ସିଂଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି।


