ଛତ୍ରପୁର,୧୫ା୧(ଦିଲ୍ଲୀପ ସାମଲ): ଆମେ କେମିତି ବଞ୍ଚିବୁ? ଆମେ କେମିତି ଇନସୁରାନ୍ସ, ପରମିଟ ଓ ଫାଇନାନ୍ସ ପାଇବୁ? । ଆମ କୁ ହଇରାଣ କରାଯାଉଛ। ଆମକୁ ଚଳିବାକୁ ଦିଅନ୍ତୁ। ଏପରି ହୋ-ହଲ୍ଲା କରି ଗଞ୍ଜାମ ଜିଲା ଘରୋଇ ବସ୍ର ବହୁ ମାଲିକ ଗୁରୁବାର ଗଞ୍ଜାମ ଆର୍ଟିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆରଟିଓ ଇଂ ଦେବାଶିଷ ସ୍ବାଇଁଙ୍କୁ ଭେଟି ଘରୋଇ ବସ୍ ଚଳାଚଳର ସୁବ୍ୟବସ୍ଥା କରିବା ସମେତ ଅନ୍ୟାନ୍ୟ ଦାବି ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି l ଏହାସହ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତ। ଜିଲାରେ ୩୦ରୁ ୪୦ ବର୍ଷ ଧରି ସମସ୍ତ ରୁଟ୍ରେ ଘରୋଇ ବସ୍ସେବା ଯୋଗାଇ ଦେଇ ଆସୁଛୁ। ବିଗତ କିଛି ଦିନ ହେଲା ସରକାରଙ୍କ ଦାରା ମୁଖ୍ୟମନ୍ତ୍ରୀ ବସ୍ସେବା ଏବଂ ଆମ ବସ୍ ବେନିୟମ ଭାବେ ଚଳାଚଳ କରୁଥିବାରୁ ସମସ୍ତ ଘରୋଇ ବସ୍ ମାଲିକ ଆର୍ଥିକ ଓ ମାନସିକ ସ୍ତରରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛ। ବର୍ତ୍ତମାନ ଦେଖାଯାଉଛି ଯେ, ସମସ୍ତ ରୁଟ୍ ଯଥା ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ପୁରୁଷୋତ୍ତମପୁର, ଚିକିଟି, ପାତ୍ରପୁର, ଦିଗପହଣ୍ଡି, ହିଞ୍ଜିଳିକାଟୁ, ଶେରଗଡ଼, ଖଲ୍ଲିକୋଟ, ପୋଲସରା, କୋଦଳା ଇତ୍ୟାଦି ରୁଟ୍ରେ ସେମାନଙ୍କୁ ମିଳିଥିବା ପରମିଟ ରୁଟ୍ରେ ମୁଖ୍ୟମନ୍ତ୍ରୀ ବସ୍ସେବା ଏବଂ ଆମ ବସ୍ ବେନିୟମ ଭାବେ ଚଳାଚଳ କରୁଛନ୍ତି। ଯାହାଦ୍ୱାରା ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ସରକାର ତାଙ୍କର ପେଟ ପାଟଣା ଚଳିବା ନିମନ୍ତେ ଜିଲାରେ ଘରୋଇ ବସ୍ ଚଳାଚଳର ସୁବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ବସ୍ସେବା ଓ ଆମ ବସ୍ ବେନିୟମ ଚଳାଚଳକୁ ତୁରନ୍ତ ବନ୍ଦ କରାଯାଉ।
ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘରୋଇ ବସ୍ମାଲିକମାନେ ଦାବି କରିଛନ୍ତ। ନଚେତ୍ ଆଗାମୀ ଦିନରେ ସମସ୍ତ ଘରୋଇ ବସ୍କୁ ବନ୍ଦ କରି ଗାଡ଼ିମାଲିକ ଓ ଗାଡ଼ି କର୍ମଚାରୀମାନେ ଜିଲାପାଳ ଓ ଆରଟିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

