ବିଦ୍ୟୁତ୍‌ ପୋଲକୁ ଧକ୍କା ଦେଲା ବସ୍‌

ବ୍ରହ୍ମପୁର ଅଫିସ,୬।୪: ଗଞ୍ଜାମ ଜିଲା ସଦର ଥାନା ଅଧୀନ ବାଲିପଡ଼ା-କାଳୁଆ ଛକ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ୍‌ ପୋଲକୁ ଏକ ଯାତ୍ରୀବାହୀ ବସ୍‌ ଧକ୍କା ଦେଇଥିଲା। ହେଲେ ବସ୍‌ରେ ଥିବା ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଛନ୍ତି।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ବିଦ୍ୟୁତ୍‌ ବିଭାଗକୁ ଖବର ଦେଇଥିଲେ। ବିଦ୍ୟୁତ୍‌ ବିଭାଗ କର୍ମଚାରୀ ପହଞ୍ଚି ବିଦ୍ୟୁତ୍‌ ସରବରାହ ବନ୍ଦ କରିବା ପରେ କ୍ରେନ ସାହାର୍ଯ୍ୟରେ ବସ୍‌ଟି’କୁ ରାସ୍ତା ଉପରକୁ ଅଣାଯାଇଥିଲା।

ଘଟଣାରୁ ପ୍ରକାଶ ଯେ, ଗଜପତି ଜିଲା ପାରଳାଖେମୁଣ୍ଡିରୁ ବ୍ରହ୍ମପୁର ଦେଇ ଭୁବନେଶ୍ୱର ଅଭିମୁଖେ ଇସ୍ପାତ ଏକ୍ସପ୍ରେସ ନାମକ ଏକ ବସ୍‌(ନଂ.ଓଡ଼ି୦୨ଏଏ-୩୮୦୦) ପାରଳାଖେମୁଣ୍ଡିରୁ ଯାତ୍ରୀଙ୍କୁ ଧରି ବାହାରିଥିଲା। ବସ୍‌ଟି ବାଲିପଡ଼ା ଅତିକ୍ରମ କରିଥିବା ବେଳେ ଦଣ୍ଡଯାତ୍ରାର ଦଣ୍ଡୁଆମାନେ ରାସ୍ତା ମଝିରେ ଯାତାୟତ କରୁଥିଲେ। ହେଲେ ଦଣ୍ଡୁଆମାନଙ୍କୁ ରକ୍ଷା କରିବାକୁ ଯାଇ ବସ୍‌ ଡ୍ରାଇଭର ବସଟି’କୁ ଡାହାଣ ପଟକୁ ନେଇଥିଲେ। ସେତିକିବେଳେ ବସ୍‌ଟି ଭାରସମ୍ୟା ହରାଇ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ୍‌ ପୋଲକୁ ଧକ୍କା ଦେଇ ଅଟକି ରହିବା ସହ ବିଦ୍ୟୁତ୍‌ ତାର ବସ୍‌ ଉପରେ ଲାଗିଯାଇଥିଲା। ଫଳରେ ବସ୍‌ରେ ଥିବା ଯାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ବିଦ୍ୟୁତ୍‌ ସରବରାହ ବନ୍ଦ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ କହିଥିଲେ। ପରେ ବିଦ୍ୟୁତ୍‌ ସରବରାହ ବନ୍ଦ କରାଯାଇଥିଲା। ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଯାତ୍ରୀମାନଙ୍କୁ ବସ୍‌ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ବୋଲି ସହକାରୀ ଅଗ୍ନିଶମ ଅଧିକାରୀ ସନ୍ତୋଷ ପାଣିଗ୍ରାହୀ ସୂଚନା ଦେଇଛନ୍ତି।