ଭବାନୀପାଟଣା,୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ୨୬ ନମ୍ବର ଜାତୀୟ ରାଜପଥର ଚାରବାହାଲ ନିକଟରେ ଗୁରୁବାର ଭୋରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ ନବରଙ୍ଗପୁର ଜିଲା ଉମର କୋଟକୁ ଯାଉଥିବା ରଘୁନାଥ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଅଟକି ରହିଥିବା ଟ୍ରକକୁ ପିଟିଛି। ଫଳରେ ବସରେ ବସିଥିବା ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି।
ମୃତ ଯାତ୍ରୀଙ୍କର ନାମ ବିନୋଦ କୁମାର ବେହେରା ହୋଇଥିବାବେଳେ ସେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଦୁର୍ଘଟଣାରେ ବସର ଆଗ ପଟ ଚୁରମାର ହୋଇଥିବାବେଳେ ଅନେକେ ଯାତ୍ରୀ ବସ ମଧ୍ୟରେ ଫସି ରହିଥିଲେ। ସ୍ଥାନୀୟ ଲୋକ ଓ କୋକସରା ଦମକଳ କର୍ମଚାରୀଙ୍କ ଉଦ୍ୟମରେ ଫସି ରହି ଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଗୁରୁତର ଥିବା ସମସ୍ତଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସେହିପରି ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


