ଖୋର୍ଦ୍ଧା,୧୯।୩(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥର ପିଚୁକୁଳି ଆଦର୍ଶ ବିଦ୍ୟାଳୟ ନିକଟରେ ପୁଣି ଅଘଟଣ । ଯାତ୍ରୀବାହି ବସ ସହ କାର ମୁଁହାମୁହିଁ ଧକ୍କା ହେବା ଫଳରେ କାରରେ ଥିବା ଦୁଇଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଏଥିସହ ବସରେ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି ।
ସୂଚନାଥାଉ କି, ଆଜି ସକାଳୁ ଘନ କୁହୁଡି କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଖୋର୍ଦ୍ଧା ବଲାଙ୍ଗୀର 57 ନଂ ଜାତୀୟ ରାଜପଥର ପିଚୁକୁଳି ନିକଟ ଆଦର୍ଶ ବିଦ୍ୟାଳୟ ନିକଟରେ ନୟାଗଡ଼ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ବିଶାଖାକୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ମାରୁତି ସେଲେରୀ ଓ କାର ମୁଁହାମୁହିଁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ କାରରେ ଥିବା ଜଣେ ମହିଳା ଓ ପୁରୁଷ କାର ଭିତରେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି । ସେପଟେ ଦୁର୍ଘଟଣା ଗସ୍ତ ବସଟି ରାସ୍ତା କଡକୁ ପଶି ଯାଇଥିବା ବେଳେ ବସରେ ଥିବା ଦୁଇଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚିବାରେ ବିଳମ୍ବକୁ ନେଇ ଉତେଜନା ଲାଗି ରହିଛି । ସେପଟେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଉଭୟ ଦମ୍ପତି ହୋଇଥିବା ଅନୁମାନ କରାଯାଉଛି ।

