Categories: ବାଣିଜ୍ୟ

ବୁଲେଟ ଟ୍ରେନ୍‌ ପ୍ରକଳ୍ପ: ବିଳମ୍ବ ହେବ ୫ ବର୍ଷ

ଅହମ୍ମଦାବାଦ, ୬ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଆକାଂକ୍ଷିତ ବୁଲେଟ ଟ୍ରେନ୍‌ ପ୍ରକଳ୍ପ ଏବେ ବିଳମ୍ବରେ ଶେଷ ହେବ। କରୋନା ସଙ୍କଟ ଯୋଗୁ ଜମି ଅଧିଗ୍ରହଣରେ ସମସ୍ୟା ଏବଂ ଟେଣ୍ଡର ରଦ୍ଦ ଯୋଗୁ ସୃଷ୍ଟି ହୋଇଥିବା ଅସୁବିଧା ଲାଗି ଏହା ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟରେ ଶେଷ ହୋଇପାରିବ ନାହିଁ ବୋଲି କୁହାଯାଉଛି। ଅହମ୍ମଦାବାଦରୁ ମୁମ୍ବାଇ ମଧ୍ୟରେ ଦେଶର ପ୍ରଥମ ବୁଲେଟ ଟ୍ରେନ୍‌ ଚଳାଚଳ କରିବା ଯୋଜନା ରହିଛି। ୨୦୨୩ରେ ଏହି ପ୍ରକଳ୍ପ ଶେଷ ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। ଏବେ ଏହା ୨୦୨୮ରେ ଶେଷ ହେବା ସମ୍ଭାବନା ରହିଛି। ସେହିପରି ଜାପାନର କେତେକ କମ୍ପାନୀ ବୁଲେଟ ଟ୍ରେନ୍‌ ପ୍ରକଳ୍ପରେ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ମଧ୍ୟ ବାଧା ସୃଷ୍ଟି ହୋଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ୫୦୮ କି.ମି. ରେଳପଥ ମଧ୍ୟରୁ ମାଟି ତଳେ ସୁଡ଼ଙ୍ଗରେ ୨୧ କି.ମି.ର ରେଳଲାଇନ୍‌ ବିଛାଯିବ। ସେଥିମଧ୍ୟରେ ମୁମ୍ବାଇର ସମୁଦ୍ର ତଳେ ୭ କି.ମି.ର ସୁଡ଼ଙ୍ଗ ପଥ ବି ରହିଛି। ସୁଡ଼ଙ୍ଗରେ ରେଳଲାଇନ୍‌ ବିଛାଯିବା ପାଇଁ ୬୦ ମାସ ସମୟ ଲାଗିବ ବୋଲି କୁହାଯାଉଛି। ମହାରାଷ୍ଟ୍ରରେ ଏହିପରି ଯୋଜନା ପାଇଁ ୪୩୦ ହେକ୍ଟର ଜମି ଆବଶ୍ୟକ। ସେଥିମଧ୍ୟରୁ ସରକାର ୧୦୦ ହେକ୍ଟର ଜମି ଅଧିଗ୍ରହଣ କରି ସାରିଛନ୍ତି। ସେହିପରି ଗୁଜରାଟରେ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି। ବର୍ଷ ଶେଷ ସୁଦ୍ଧା ୧୦୦୦ ହେକ୍ଟର ଜମି ଅଧିଗ୍ରହଣ ଶେଷ ହେବା ଆଶା ରହିଛି। ବର୍ତ୍ତମାନ ସୁଦ୍ଧା ଗୁଜରାଟ ସରକାର ୩୪୫ କି.ମି.ରେଳପଥ ପାଇଁ ଜମି ଅଧିଗ୍ରହଣ କରି ସାରିଛନ୍ତି। ଏହି ପ୍ରକଳ୍ପ ପାଇଁ ଜାପାନ ଇଣ୍ଟରନ୍ୟାଶନାଲ୍‌ କୋଅପରେଶନ୍‌ ଏଜେନ୍ସି (ଜାଇକା) ପକ୍ଷରୁ ମୋଟ ୧ ଲକ୍ଷ କୋଟି ବ୍ୟୟ ଅଟକଳର ୮୦ ପ୍ରତିଶତ ଟଙ୍କାର ଋଣ ୦.୧ ପ୍ରତିଶତ ସୁଧହାରରେ ଯୋଗାଇ ଦେଇଛି।

Share