ବୁଲେଟ୍‌ ଚୋରି କରି ମାଲିକଙ୍କୁ କାଙ୍ଗାଳ କରିଦେବାକୁ ଧମକ ଦେଉଛନ୍ତି ଦୁର୍ବୃତ୍ତ

ଗଞ୍ଜାମ,୧୩ା୮(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ଗୋଖରକୁଦା ଗ୍ରାମରୁ ଗତ ୧ ତାରିଖରେ ସୁରେନ୍ଦ୍ର ସାହୁଙ୍କ ଓଡି ୦୭ ଏଜେ ୧୭୮୧ ନମ୍ବର ବିଶିଷ୍ଟ ନୂଆ ବୁଲେଟ୍‌କୁ କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଛନ୍ତି। ବୁଲେଟ ମାଲିକଙ୍କ ଅଭିଯୋଗ ପରେ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି କିନ୍ତୁ ଉକ୍ତ ବୁଲେଟ୍‌ ଚୋରି ଘଟଣାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବୁଲେଟ ମାଲିକ ସୁରେନ୍ଦ୍ରଙ୍କୁ କେହି ଫୋନ୍‌ରେ ତତେ ଆହୁରି ହଇରାଣ କରିବି ଏବଂ ପୂରା କାଙ୍ଗାଳ କରିଦେବି ବୋଲି ବାରମ୍ବାର ଧମକ ଆସୁଥିବା ସେ ପୁଣି ଏକ ଏତଲା ଗଞ୍ଜାମ ଥାନାରେ ଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସୁରେନ୍ଦ୍ର ବାଡ଼ିପଟେ ବୁଲେଟଟି ରଖିଥିଲେ l କେହି ଦୁର୍ବୃତ୍ତ ଶାବଳ ଆଣି ସେଥିରେ ତାଲା ଭାଙ୍ଗି ବୁଲେଟ ନେଇଯାଇଥିଲେ। ଶାବଳ ଛାଡ଼ି ବୁଲେଟ ଧରି ଚମ୍ପଟ ମାରିଥିଲେ l ଶାବଳଟି ଗୋଖରକୁଦା ଗ୍ରାମର ବୋଲି ବୁଲେଟ ମାଲିକ ଚିହ୍ନଟ କରିଥିବା ବେଳେ ପୋଲିସ ତଦନ୍ତ କଲେ ନିଶ୍ଚିତ ଭାବେ ଘଟଣା ଜଣାପଡ଼ିବ। ଏନେଇ ସେ ଗଣମାଧ୍ୟମକୁ କହିଛନ୍ତି। ଏସମ୍ପର୍କରେ ଥାନା ଏସ୍‌ଆଇ ନାରାୟଣ କହଁରଙ୍କୁ ପଚାରିବାରୁ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି । ଖୁବ୍‌ଶୀଘ୍ର ଅଭିଯୁକ୍ତ ଧରାପଡ଼ିବେ ବୋଲି ସେ କହିଛନ୍ତି।