ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବଢି ଚାଲିଥିବା ନିଶା କାରବାର ପୋଲିସର ନିଦ ହଜାଇ ଦେଇଛି। ପୋଲିସ ଥରକୁ ଥର ଚଢାଉ କରୁଛି । କଫ ସିରପ, ମଦ, ବ୍ରାଉନସୁଗାର, ଗଞ୍ଜେଇ ଆଦି ନିଶା ଦ୍ରବ୍ୟ ଜବତ କରୁଛି। ତଥାପି ନିଶା କାରବାର ଉପରେ ଅଙ୍କୁଶ ଲାଗି ପାରି ନାହିଁ।
ଅନ୍ୟପକ୍ଷରେ ପୋଲିସ ଓ ଅବକାରୀ ବିଭାଗକୁ ଚ୍ୟାଲେଞ୍ଜ କରି ଏବେ ମଧ୍ୟ ବରଗଡ଼ ଜିଲାର ଗାଁଠୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ
ନିଶା ବେପାରୀମାନ ଅବାଧରେ ଚଳାଇଛନ୍ତି ନିଶା କାରବାର। ଆଉ ଏଭଳି ନିଶା କାରବାର ଯୋଗୁ ବଢି ଚାଲିଛି ଲୁଟପାଟ, ଛୁରାମାଡ଼ ଏବଂ ହତ୍ୟାକାଣ୍ଡ ଭଳି ଅପରାଧ। ଏଭଳି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି ପୋଲିସ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ପାଲଟିଛି ଏବଂ ଏବେ ଆକ୍ସନ ମୋଡରେ ବାହାରିଛି ବରଗଡ଼ ପୋଲିସ। ନିଶା କାରବାର ଚାଲିଥିବା ଆଡ୍ଡାସ୍ଥଳୀକୁ ଚିହ୍ନଟ କରାଯାଉଛି ଏବଂ ବୁଲଡୋଜର ମଡାଇ ସେହି ନିଶା କାରବାର ଆଡ୍ଡାସ୍ଥଳୀକୁ ଧୂଳିସାତ୍ କରି ଦିଆଯାଉଛି। ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ ଭଟଲି ଛକ ଏବଂ ଦୋରାବନ୍ଧ ନିକଟରେ ରହିଥିବା ନିଶା କାରବାର ଆଡ୍ଡାସ୍ଥଳୀକୁ ମାଡି ବସିଥିଲା ବୁଲଡୋଜର। ଅନୁରୂପଭାବେ ଗୁରୁବାର ବରଗଡ଼ ସହରସ୍ଥିତ ଗୋବିନ୍ଦପାଲି ଅଞ୍ଚଳରେ ରହିଥିବା ନିଶା କାରବାର ଆଡ୍ଡାସ୍ଥଳୀକୁ ବୁଲଡୋଜରରେ ଧୂଳିସାତ୍ କରିଦିଆଯାଇଛି।
Dharitri – Odisha’s No.1 Odia Daily

