Categories: ବାଣିଜ୍ୟ

୨୯ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଚଳିତ ମାସ ୨୯ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହିଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ସେହିଭଳି ସାଧାରଣ ବଜେଟ ଫେବୃୟାରୀ ପହିଲାରେ ଆସିବ। ବଜେଟ ଅଧିବେଶନ ଏପ୍ରିଲ ୮ ଯାଏ ଚାଲିବ ବୋଲି ଲୋକ ସଭା ସଚିବାଳୟ ପକ୍ଷରୁ ଗୁରୁବାର ସୂଚନା ମିଳିଛି। ବିଭିନ୍ନ ମନ୍ତ୍ରଣାଳୟର ଖର୍ଚ୍ଚଦାବିକୁ ବିଚାର କରିବା ଏବଂ ଏହାର ରିପୋର୍ଟ ପ୍ରସ୍ତୁତ କରିବା ଲାଗି କିଛି ସମୟ ଦିଆଯିବ। ଫେବୃୟାରୀ ୧୫ରେ ଗୃହକୁ ମୁଲତବୀ ଘୋଷଣା କରାଯିବ। ଏହା ପୁଣି ଥରେ ମାର୍ଚ୍ଚ ୮ରେ ଶୁଭାରମ୍ଭ ହେବ। କରୋନା ମହାମାରୀକୁ ଧ୍ୟାନରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପୂର୍ବ ଅଧିବେଶନ ଭଳି ପର୍ଯ୍ୟାୟ ଭିତ୍ତିରେ ଏହା ଅନୁଷ୍ଠିତ ହେବ। ଲୋକ ସଭା ସନ୍ଧ୍ୟା ଶିଫ୍ଟ ଏବଂ ରାଜ୍ୟ ସଭା ସକାଳେ ବସିବ। ବଜେଟ ଅଧିବେଶନରେ ପ୍ରଶ୍ନକାଳ ରହିବା ନେଇ କୁହାଯାଉଛି। ପୂର୍ବ ଅଧିବେଶନରେ ସଦନ ୪ ଘଣ୍ଟା ଲେଖାଏ ବସୁଥିବାରୁ ପ୍ରଶ୍ନକାଳକୁ ବାଦ୍‌ ଦିଆଯାଇଥିଲା। ପ୍ରଶ୍ନକାଳ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଶୀଘ୍ର ହେବ ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି।

Share