ବଣ୍ଡାଘାଟିରେ ବିଏସ୍‌ଏଫ୍‌ ଆଇଜି

କୁଡୁମୁଲୁଗୁମ୍ମା,୬।୩(ଡି.ଏନ.ଏ.) ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହାଲ୍‌ ପଞ୍ଚାୟତକୁ ଶନିବାର ବିଏସ୍‌ଏଫ୍‌ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି ଗସ୍ତ କରିଛନ୍ତି। ଏହି ଅବସରରେ ସେଠାରେ ଆୟୋଜିତ ଏକ ଚିକିତ୍ସା ଶିବିରରେ ଯୋଗଦେଇ ଅଣ୍ଡ୍ରାହାଲ୍‌ ଓ ମୁଦୁଲିପଡ଼ାରେ ବିଏସ୍‌ଏଫ୍‌ କ୍ୟାମ୍ପ ଯୋଗୁ ଜନସାଧାରଣ ଉପକୃତ ହେଉଥିବା ସେ ପ୍ରକାଶ କରିଥିଲେ। ଲୋକମାନଙ୍କ ସୁରକ୍ଷା ଏବଂ ବିଏସ୍‌ଏଫ୍‌ର କାର୍ଯ୍ୟ କରିବା ଶୈଳୀ ସମ୍ପର୍କରେ ଅବଗତ କରାଇ ଲୋକଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଣ୍ଡ୍ରାହାଲ୍‌ରେ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ପରଠାରୁ ଲୋକଙ୍କ ମନରୁ ଭୟ ଦୂରହୋଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି ପ୍ରକାଶ କରି ଶିବିରରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଲୋକଙ୍କୁ ଔଷଧ ବଣ୍ଟନ କରିଥିଲେ। ଏହି ଅବସରରେ ୨ଶହ ଗ୍ରାମବାସୀଙ୍କୁ କପଡ଼ା ,ସାନିଟାରି, ଟିଫିନ ଓ ଛତା ଆଦି ଉପକରଣ ବଣ୍ଟନ କରିଥିଲେ। ଛାତ୍ରୀଛାତ୍ରଙ୍କୁ ପାଠ୍ୟପୁସ୍ତକ ଓ ଯୁବକମାନଙ୍କୁ ବାଦ୍ୟଯନ୍ତ୍ର ଓ କ୍ରୀଡ଼ା ଉପକରଣ ବଣ୍ଟିଥିଲେ। ଏହି ଅବସରରେ କେତେଜଣ ଗ୍ରାମବାସୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୋରାପୁଟ ଡିଆଇଜି ମଦନ ଲାଲ, ୬୫ ବିଏସ୍‌ଏଫ୍‌ ବାଟାଲିୟନର କମାଣ୍ଡିଂ ଅଫିସର ଟି.ଏନ୍‌. ରେଡ୍ଡିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।