୨୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ: ବେପାରୀ ଗିରଫ

ବାଲେଶ୍ୱର ଅଫିସ,୧୮ା୩: ନିଶା ବେପାରୀଙ୍କୁ ସାବାଡ଼ କରିବା ପାଇଁ ଆକ୍ସନ ମୋଡରେ ବାଲେଶ୍ବର ପୋଲିସ। ଶୁକ୍ରବାର ବିଳମ୍ବିତ ରାତିରେ ଜଳେଶ୍ବର ଏସ୍‌ଡିପିଓଙ୍କ ନେତୃତ୍ୱରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଜଳେଶ୍ବର ଥାନା ଅନ୍ତର୍ଗତ କୃଷ୍ଣନଗର ନିକଟରେ ଚଢ଼ାଉ କରି କୁଖ୍ୟାତ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ୨୭୫ ଗ୍ରାମର ବ୍ରାଉନସୁଗାର ସମେତ ନଗଦ ୧ ଲକ୍ଷ ୨୩ ହଜାର ୬୦୦ ଟଙ୍କା ଜବତ କରିଛି। ଏହା ସହ ଗୋଟିଏ ବାଇକ୍‌ ଜବତ ହୋଇଛି। ଗିରଫ ହୋଇଥିବା ବ୍ରାଉନସୁଗାର ବେପାରୀର ଘର ଜଳେଶ୍ବର ଥାନା ଅନ୍ତର୍ଗତ ପଥରପୁରା ଗ୍ରାମର ବୋଲି ଜଣାପଡ଼ିଛି। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୨୭ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଳେଶ୍ୱର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବାଲେଶ୍ବର ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ବ୍ରାଉନସୁଗାର ବେପାରୀ ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଆଣି ଓଡ଼ିଶାର ବିଭିନ୍ନ ସ୍ଥାନକୁ ସପ୍ଲାଇ କରୁଥିବା ନେଇ ସୂଚନା ମିଳିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ୫ଟି କେସ୍‌ ଥିବା ନେଇ ଜଣାପଡ଼ିଛି। ଗତକାଲି ବାଇକ୍‌ରେ ବ୍ରାଉନସୁଗାର ନେଇ ଆସୁଥିବା କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ପୋଲିସ କୃଷ୍ଣନଗର ନିକଟରେ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିଛି। ଏହାସହ ଗୋଟିଏ ମୋବାଇଲ ବ୍ୟାଙ୍କ ପାସ୍‌ବୁକ୍‌, ଏଟିଏମ୍‌ କାର୍ଡ, ପାନ୍‌କାର୍ଡ ଜବତ କରିଛି ପୋଲିସ। ଆଗାମୀ ଦିନରେ ବ୍ରାଉନସୁଗାର କାରବାରର ମୂଳତ୍ପାଟନ ପାଇଁ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରାଯିବ ବୋଲି ବାଲେଶ୍ୱର ଏସ୍‌ପି ସୂଚନା ଦେଇଛନ୍ତି।