ବାଲିଆପାଳ,୨୫।୨(ଗୋପାଳ ଚନ୍ଦ୍ର ସାହୁ/ରାଜଶ୍ରୀ ପାଣିଗ୍ରାହୀ) ପ୍ରେମ ବିବାହର କରୁଣ ପରିଣତି । ଜ୍ବାଇଁ ସାଜିଲେ ନରରାକ୍ଷସ। ପେଟ୍ରୋଲ ଢ଼ାଳି ଜୀବନରୁ ସ୍ତ୍ରୀଙ୍କୁ ମାରିବା ଉଦ୍ୟମ କରୁଥିବା ବେଳେ ଶ୍ବଶୁର ଗୁରୁତର ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।ଏମିତି ଘଟଣା ଘଟିଥିଲା ଗତ ୧୭ ତାରିଖ ରାତିରେ ।
ଖବର ଅନୁସାରେ, ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଧିନ ନାରାୟଣପୁର ଗ୍ରାମର ରାଜେନ୍ଦ୍ର ସାମନ୍ତରାୟ ତାଙ୍କ ଝିଅ ସୋର ଅଞ୍ଚଳର ମାଣତ୍ରୀ ଗ୍ରାମର କରୁଣାକର କବିଙ୍କୁ ସାତ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ତେବେ ବିବାହର କିଛି ବର୍ଷ ସାଂସାରିକ ଜୀବନ ବେଶ ଠିକ୍ ଠାକ୍ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ବିଭିନ୍ନ କାରଣରୁ ବିବାଦ ତଥା ମନୋମାଳିନ୍ୟ ଦେଖା ଦେବା ସହ ଶେଷରେ ମାମଲା ଥାନାକୁ ଯାଇଥିଲା।ଗତ ଏକମାସ ହେବ ସ୍ବାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଝିଅ ବାପ ଘର ନାରାୟଣ ପୁରକୁ ପଳାଇ ଆସିଥିଲେ । ଗତ ୧୭ ତାରିଖ ରାତିରେ କରୁଣାକର ଶ୍ବଶୁର ଘରେ ପହଞ୍ଚି ପାଟିତୁଣ୍ତ କରିବା ସହ ଉତକ୍ଷିପ୍ତ ହୋଇ ସାଙ୍ଗରେ ଆଣି ଥିବା ପେଟ୍ରୋଲ ସ୍ତ୍ରୀ ଉପରକୁ ପକାଇ ନିଆଁ ଲଗାଇବା ଉଦ୍ୟମ ବେଳେ ଶ୍ବଶୁର ବାଧା ଦେଇଥିଲେ।
ତେବେ ନର ରାକ୍ଷସ ସାଜିଥିବା ଜ୍ବାଇଁ ଶ୍ବଶୁର ଦେହରେ ନିଆଁ ଲଗାଇ ଦେଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକ ପହଞ୍ଚି ଜ୍ବାଇଁକୁ କାବୁ କରି ପୋଲିସରେ ଜିମା ଦେବା ସହ ଗୁରୁତର ଶ୍ବଶୁରଙ୍କୁ ପ୍ରଥମେ ପ୍ରତାପପୁର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତ କରିଥିଲେ । ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଏବଂ ଅବସ୍ଥା ଅଧିକ ଗୁରୁତର ହେବା ପରେ କଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ଶ୍ବଶୁର ରାଜେନ୍ଦ୍ର ସାମନ୍ତରାୟଙ୍କ ମୃତ୍ଯୁ ହୋଇଛି । ଏହି ଘଟଣାରେ ଜ୍ବାଇଁକୁ ବାଲିଆପାଳ ପୋଲିସ କୋର୍ଟ ଚାଲାଣ କରିଛି । ତେବେ ପରିବାରର ଅଗୋଚରରେ ପ୍ରେମ ବିବାହ କରିବା କେତେଯେ ଭୟାନକ ରୂପ ନେଇପାରେ, ସେନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

