ଦିଅର ଗୁଳିମାଡ଼ରେ ଭାଉଜ ଗୁରୁତର

ଲୋଇସିଂହା, ୪।୧୦ (ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଆଗଲପୁର ଥାନା ଅନ୍ତର୍ଗତ ନୁନିଆପାଲି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ସୋମବାର ସନ୍ଧ୍ୟାରେ ଦିଅର ଗୁଳିମାଡରେ ଭାଉଜ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ମହିଳା ସନ୍ତୋଷିନୀ ବର୍ଗେ(୫୦)ଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ବନ୍ଧୁକ ଧରି ଅଭିଯୁକ୍ତ ଦିଅର ରଞ୍ଜନ ବର୍ଗେ ଫେରାର ହୋଇଯାଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ସନ୍ତୋଷିନୀଙ୍କ ସ୍ବାମୀ ପଞ୍ଚାନନ ବର୍ଗେଙ୍କ ସହ ୨ ସାନଭାଇ ରଞ୍ଜନ ବର୍ଗେ ଓ ପ୍ରଶାନ୍ତ ବର୍ଗେ ନୁନିଆପାଲରେ ରହନ୍ତି। ଚତୁର୍ଥ ଭାଇ ଟେକା ବର୍ଗେ ଅନ୍ୟତ୍ର ରହନ୍ତି। ନିକଟରେ ପଞ୍ଚାନନ ଏକ ଛାତ ଘର ନିର୍ମାଣ କରିବା ପରେ ସେ ରହୁଥିବା ପୁରୁଣା ଘରକୁ ସାନଭାଇ ରଞ୍ଜନଙ୍କୁ ଦେଇଛନ୍ତି। ଏହାକୁ ନେଇ କୁଆଡେ ସନ୍ତୋଷିନୀ ଖୁସି ନ ଥିଲେ। ଏହି ଘଟଣାକୁ ନେଇ ସୋମବାର ଅପରାହ୍ନରେ ପଞ୍ଚାନନଙ୍କ ଅନୁପସ୍ଥିତିରେ ରଞ୍ଜନ ଓ ସନ୍ତୋଷିନୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରଞ୍ଜନ ଘରେ ଥିବା ଏକ ଚଢେଇ ମରା ବନ୍ଧୁକ ଆଣି ସନ୍ତୋଷିନୀଙ୍କ ଉପରକୁ ଗୁଳି ମାଡ କରିଥିଲେ। ଗୁଳି ସନ୍ତୋଷିନୀଙ୍କ ଛାତିରେ ବାଜିଥିଲା। ଏହାପରେ ରଞ୍ଜନ ବନ୍ଧୁକରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ଚିତ୍କାର ଶୁଣି ପରିବାର ଲୋକେ ସନ୍ତୋଷିନୀଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ନେଇଥିଲେ। ପରେ ଅବସ୍ଥା ଗୁରୁତର ଥିବାରୁ ରାତିରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଏ ନେଇ ଆଇଆଇସି ବାସୁଦେବ ଭୋଇଙ୍କୁ ପଚାରିବାରୁ ଚଢେଇମରା ବନ୍ଧୁକର ଗୁଳି ହୋଇଥିବାରୁ ଛାତି ଭିତରକୁ ଭେଦ କରି ନ ଥିଲା। ଏଡାକୁ କାଢି ଦିଆଯାଇଛି। ସନ୍ତୋଷିନୀଙ୍କ ବାପା ମେଘୁ ବାଗଙ୍କ ଅଭିଯୋଗକ୍ରମେ ଥାନାରେ ଏକ ମାମଲା(୧୭୮/୨୩)ରୁଜୁ ହୋଇଛି।