ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ଏକ ବିବାହ ଭୋଜିରୁ ଫେରୁଥିବା ବେଳେ ଭାଉଜଙ୍କୁ ଟଣାଓଟରା କରିବା ସହ ବେକରୁ ଏକ ସୁନା ଚେନ ଲୁଟି ନେଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ପ୍ରକାରେ, ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମର ରାଜଲକ୍ଷ୍ମୀ ଚୌଧୁରୀ ବୁଧବାର ଅପରାହ୍ନରେ ଭାଇ ଜୟରାମ ସାହୁ ଓ ୨ ଝିଅଙ୍କୁ ସାଥିରେ ନେଇ ଶ୍ୟାମଳାଇ ମନ୍ଦିର ନିକଟକୁ ଏକ ବିବାହ ଭୋଜିରେ ଯୋଗଦେବାକୁ ଆସିଥିଲେ। ଭୋଜି ଖାଇ ମହିଳା ଜଣଙ୍କ ଭାଇଙ୍କ ସହ କଥା ହେଉଥିବା ବେଳେ ତାଙ୍କର ଦିଅର ସନ୍ତୋଷ ଚୌଧୁରୀ ସେଠାରେ ପହଞ୍ଚି ଭାଇଙ୍କ ସହ କଥା ହେବାକୁ ବାରଣ କରିଥିଲେ। ମହିଳା ଜଣଙ୍କ ଏହାର ପ୍ରତିବାଦ କରିବାରୁ ସନ୍ତୋଷ ମହିଳାଙ୍କୁ ଟଣାଓଟରା କରିଥିଲେ। ମହିଳାଙ୍କ ଭାଇ ଜୟରାମ ପ୍ରତିବାଦ କରିବାରୁ ସନ୍ତୋଷ ଉଭୟଙ୍କୁ ମାଡ ମାରିବା ସହ ଭାଉଜଙ୍କ ପିନ୍ଧିଥିବା ଏକ ସୁନା ଚେନ ଲୁଟି ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣା ନେଇ ରାଜଲକ୍ଷ୍ମୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୩୪/୨୫ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ପୋଲିସ ସୂତ୍ରରୁ ପ୍ରକାଶ।


