ବରୀ,୧୨।୮(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ବରୀ ପଞ୍ଚାୟତ ଅଧିନସ୍ଥ ଉତ୍ତର ବରୀ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ସୂଚନା ମୁତାବକ, ଦୀର୍ଘ ଦିନ ଧରି ଜମି ଜମା ବଣ୍ଟନ ଘଟଣାକୁ ନେଇ ଭାଇ-ଭାଇ ମଧ୍ୟରେ ତିକ୍ତତା ଲାଗି ରହିଥିଲା।ବଡ଼ ଭାଇ ଉଲ୍ଲାସ ଦାସ ଉତକ୍ଷିପ୍ତ ହୋଇ ନିଜ ବାସ ଭବନରେ ଥିବା ଭାଇ ଉତ୍ତମ ଦାସଙ୍କ ଉପରକୁ ବୋମାମାଡ କରିବାରୁ ସେ ଆହତ ହୋଇ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ଖବର ପାଇ ବରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଡ ଭାଇ ଉଲ୍ଲାସ ଚନ୍ଦ୍ର ଦାସଙ୍କୁ ଉଠାଇ ନେଇ ୩୩୩/୨୦୨୫ରେ ଏକ ମାମଲା ରୁଜ୍ଜୁ କରିବା ସହିତ ତଦନ୍ତ ଜାରି ରଖିଛି।ପ୍ରକାଶ ଥାଉକି ବୋମାମାଡ କରିଥିବା ଉଲ୍ଲାସ ଦୀର୍ଘ ସମୟ ଧରି ଲୁଚି ରହିବାରୁ ତାଙ୍କୁ ଧରିବାକୁ ବରୀ ପୋଲିସ ନାକେଦାମ ହେବାକୁ ପଡିଥିଲା। ଆହତ ଉତ୍ତମ ଦାସଙ୍କ ହାତ ଓ ଗୋଡରେ ଗଭୀର ଆଘାତ ଲାଗିଛି। ସୂଚନାଯୋଗ୍ୟ ଏହି ଘଟଣାଟି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ପରିବାରରେ ଘଟିଥିବାରୁ ଏହା ଅଧିକ ଚର୍ଚ୍ଚା ଘେରକୁ ଆସିଛି।


